ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ଆଣିବ ବଡ଼ ବର୍ଷା
ଭୁବନେଶ୍ୱର : ଆସନ୍ତା ୮ କିମ୍ବା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବଡ଼ ବର୍ଷା ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି, ରାଜଧାନୀ ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଖୋରଧା ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ସହ ଗାଙ୍ଗେୟ ପଶ୍ଚିମବଙ୍ଗ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେହିପରି, ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ସହିତ ଏହାର ପାର୍ଶ୍ବବର୍ତ୍ତୀ
ବାଂଲାଦେଶ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମି ଟ୍ରପ୍ ଲାଇନ ଓଡ଼ିଶା ଉପରେ ସକ୍ରିୟ ରହିଥିବାରୁ ତୁହାକୁ ତୁହା ବର୍ଷା ହେଉଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ବର ସହିତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ରାଜଧାନୀରେ ସର୍ବାଧିକ ୧୦୭.୯ମି.ମି ବର୍ଷା ହୋଇଥିବା ବେଳେ ଯାଜପୁର ଜିଲାର ଜେନାପୁରରେ ୧୦୬.୮ ଏବଂ କେନ୍ଦ୍ରାପଡା ଜିଲାର ପଟାମୁଣ୍ଡାଇରେ ୧୦୦ମି.ମି. ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟାନ୍ୟ ଜିଲାଗୁଡିକୁ ବିଜୁଳି ଘଡଘଡି ସହିତ ବର୍ଷା ନେଇ ସତର୍କତା ଜାରି ହୋଇଛି।
Powered by Froala Editor