ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି
କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି ୨୨ ଟଙ୍କାରୁ ୨୫ ଟଙ୍କାରେ ବିକ୍ରୟ ହେଉଥିଲା । ଏବେ ଦାମ ଦୁଇ ଗୁଣରୁ ଅଧିକ ଦରରେ ଅର୍ଥାତ ୪୦ରୁ ୪୫ ଟଙ୍କାରେ ବିକ୍ରୟ ହେଉଛି । ଶ୍ରାବଣ ମାସରେ ପ୍ରାୟତଃ ପିଆଜ ଦର କମ୍ ରହିଥାଏ, ମାତ୍ର ଚଳିତ ବର୍ଷା ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି ।
ଦହିବରା ବ୍ୟବସାୟୀ ହେମନ୍ତ ସାହୁ କହିଛନ୍ତି ଯେ, ଦହିବରା ଆଳୁଦମରେ ପିଆଜର ଆବଶ୍ୟକ ପଡିଥାଏ । ଏହାର ସ୍ୱାଦ ପାଇଁ ଖାଉଟିମାନେ ପିଆଜ ବାରମ୍ବାର ମାଗନ୍ତି । ଦୈନିକ 10 କିଲୋ ପିଆଜ ବ୍ୟବହାର ହୋଇଥାଏ । ମାତ୍ର ଦର ବୃଦ୍ଧି ପାଇଁ ଏବେ ବେପାର କେମିତି ହେବ ତାହାକୁ ନେଇ ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି, "ବିରି ଦର ବୃଦ୍ଧି ଘଟିଥିଲା, ଆଉ ଏବେ ପିଆଜ ଦର ବୃଦ୍ଧି ଘଟିଲାଣି । ଆବଶ୍ୟକ ପଡିଲେ ବାଧ୍ୟ ହୋଇ ଦହିବରା ଦର ବୃଦ୍ଧି କରିବାକୁ ପଡିବ ।"ସେହିପରି ଫାଷ୍ଟଫୁଡ ବ୍ୟବସାୟୀ ଦୀପ୍ତି ରଞ୍ଜନ ଶତପଥୀ କହିଛନ୍ତି, "ବିନା ପିଆଜରେ ଫାଷ୍ଟଫୁଡକୁ ଗ୍ରାହକମାନେ ପସନ୍ଦ କରନ୍ତି ନାହିଁ । ପିଆଜ ଦର ବୃଦ୍ଧି ହେଲେ ବ୍ୟବସାୟୀମାନେ ପ୍ରଭାବିତ ହେବେ ।"
କଟକ ଛତ୍ରବଜାର ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପୂର୍ବରୁ ପିଆଜ ଦର ହୋଲସେଲରେ 3 କିଲୋ ପ୍ରତି 90 ଟଙ୍କାରେ ବିକ୍ରୟ ହେଉଥିଲା ।ଏବେ ଏହା ବୃଦ୍ଧି ପାଇଛି । ପ୍ରାୟ 10 ଟଙ୍କା ବୃଦ୍ଧି ପାଇଛି । ବର୍ଷା ଯୋଗୁଁ ଏହି ସମସ୍ୟା ଉପୁଜିଛି । ବ୍ୟବସାୟୀ ହରିଶ ବେହେରା କହିଛନ୍ତି, "ବଜାରକୁ ଆବଶ୍ୟକ ଅନୁସାରେ ପିଆଜ ଗାଡି ଆସୁଛି । ସ୍ଥିତି ଆଉ ଏକ ମାସ ପରେ ସ୍ୱାଭାବିକ ହୋଇଯିବ । ବର୍ଷା କମିଲେ ଅମଳ ପିଆଜ ବଜାରକୁ ଆସିଗଲେ ସମସ୍ୟାର ସମାଧାନ ହୋଇଯିବ ।"
Powered by Froala Editor