ସେପ୍ଟେମ୍ବର ୨୧କୁ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ
ଭୁବନେଶ୍ବର: ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖକୁ ସେପ୍ଟେମ୍ବର ୨୧ କୁ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସଂଶୋଧନ କାର୍ଯ୍ୟ ପାଇଁ ଜୁଲାଇ ୧ ଯୋଗ୍ୟତା ତାରିଖ ଭାବେ ବଳବତ୍ତର ରହିବ ।
କିନ୍ତୁ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଦୁଇ ସପ୍ତାହ ଅର୍ଥାତ ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହାକି ଜୁଲାଇ ୫ ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାର ଥିଲା। ସେହିପରି ନୋଟିସ ଜାରି, ଆବେଦନ ଗୁଡ଼ିକର ଯାଞ୍ଚ, ଶୁଣାଣି, ଦାବି ଓ ଆପତ୍ତିର ସମାଧାନ ପାଇଁ ସୂଚୀକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଜୁଲାଇ ୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିଲା।
ଓଡିଶାରେ ଏସଆଇଆର 2026 କାର୍ଯ୍ୟକ୍ରମ ମେ ୩୦ ରୁ ଆରମ୍ଭ ହୋଇଥିଲା। ମାସେ ବ୍ୟାପୀ ଚାଲିଥିବା ଘରକୁ ଘର ସର୍ଭେ ପରେ ଜୁଲାଇ ୫ ରେ ପ୍ରକାଶିତ ରାଜ୍ୟର ନୂତନ ଚିଠା ଭୋଟର ତାଲିକାରୁ ପ୍ରାୟ ୨୦.୧୪ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇ ସାରିଛି। ପ୍ରଥମ ପର୍ଯ୍ୟାୟ SIR ପରେ ନିର୍ବାଚନ କମିଶନ ପ୍ରାୟ ୪୬.୩୬ ଲକ୍ଷ ଭୋଟରଙ୍କ ବିବରଣୀରେ ଯୁକ୍ତିଯୁକ୍ତ ବିସଙ୍ଗତି ମଧ୍ୟ ଚିହ୍ନଟ କରିଛନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ପ୍ରାୟ ୧୨ ଲକ୍ଷ ଭୋଟର ମାନଚିତ୍ରିତ ହୋଇନଥିବା ଜଣାପଡ଼ିଛି। ତେବେ ଫର୍ମ 6 ରେ ନୂଆ ଭୋଟର ଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ବାଦ ଓ ଫର୍ମ 8ରେ ସଂଶୋଧନ କରିହେବ ।
3 କୋଟି 13 ଲକ୍ଷ 87 ହଜାର 34 ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର 1 କୋଟି 60 ଲକ୍ଷ 19 ହଜାର 176 ଥିବା ବେଳେ ମହିଳା ଭୋଟର 1 କୋଟି 53 ଲକ୍ଷ 65 ହଜାର 83 ଅଛନ୍ତି । 2775 ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଚିଠା ଭୋଟର ତାଲିକା ସମସ୍ତ ରାଜନୈତିକ ଦଳ ଗୁଡିକୁ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ରଖି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଲନ ।
Powered by Froala Editor