ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବାଲି ମାଫିଆଙ୍କ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୧୫ କେଜି ସୁନା ଓ ୨୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ।
ଗୁଇନ୍ଦା ସୂଚନା ଆଧାରରେ ବାଲି ମାଫିଆ ଟୁଲୁ ମଣ୍ଡଳ ଓରଫ୍ ମହମ୍ମଦ ନାଜିବୁଦ୍ଦିନଙ୍କ ମହମ୍ମଦ ବଜାର ଥାନା ଅଞ୍ଚଳରେ ଥିବା ଏକ ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଟୁଲୁ ମଣ୍ଡଳଙ୍କ ଏଜେନ୍ସି ରାଜ୍ୟର ତିନୋଟି ଜିଲ୍ଲାରେ ଥିବା ଛଅଟି ପଥର ଶିଳ୍ପ କ୍ଲଷ୍ଟରରୁ ରାଜସ୍ୱ ଆଦାୟ କରୁଥିଲା। ପ୍ରତିମାସ ପ୍ରାୟ ୮୩ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲା। ହେଲେ ସରକାରୀ ରାଜକୋଷରେ ମାତ୍ର ୨ କୋଟିରୁ ୫ କୋଟି ଟଙ୍କା ଜମା କରୁଥିଲା। ଅବଶିଷ୍ଟ ଅର୍ଥକୁ ବେଆଇନ ଭାବେ ଆତ୍ମସାତ କରୁଥିଲା। ଚଢ଼ାଉ ସମୟରେ ତା’ଘରୁ ନଗଦ ଟଙ୍କା ଓ ସୁନା ମିଳିଥିଲା। ଜବତ ହୋଇଥିବା ଟଙ୍କାର ଗଣା ଏ ପର୍ଯନ୍ତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୋସିଆଲ ମିଡିଆରେ କରାଯାଇଥିବା ଏକ ପୋଷ୍ଟରେ ଅଧିକାରୀ କହିଛନ୍ତି, ଦୁର୍ନୀତି ଓ ସଂଗଠିତ ଅପରାଧ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor