ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍
ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାୟକୁ ରୋକିବା ପାଇଁ ଆଗତ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ବୁଧବାର ଲୋକସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ଟିକୁ ଗୃହର ମଞ୍ଜୁରି ମିଳିଛି।ଏହା ପୂର୍ବରୁ ମଙ୍ଗଳବାର ବିଲ୍ ଉପରେ ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଏବଂ ସଂସ୍କାରର ଆବଶ୍ୟକତା ଉପରେ ମତ ରଖିଥିଲେ। ବୁଧବାର ଆଲୋଚନା ଶେଷ ହେବା ପରେ ବିଲ୍କୁ ବାଚନିକ ଭୋଟ୍ ପାଇଁ ରଖାଯାଇଥିଲା ଏବଂ ଏହା ଲୋକସଭାରେ ପାରିତ ହୋଇଥିଲା।
ସଂଶୋଧିତ ବିଲ୍ରେ ପେପର ଲିକ୍ ସମ୍ପର୍କିତ ଅପରାଧ ବିରୋଧରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ସଂଗଠିତ ଠକେଇ କିମ୍ବା ଅନ୍ୟାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧୦ ବର୍ଷର କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।
ସମ୍ପ୍ରତି ଦେଶର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ବିଲ୍କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
Powered by Froala Editor