ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ଜିଲ୍ଲାପାଳ
ଜଣେ ସାଧାରଣ ବାପାର ଦାୟିତ୍ୱକୁ ଆଗରେ ରଖି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଜିଲ୍ଲାପାଳ ଡା. ଏନ୍. ପ୍ରଭାକର ରେଡ୍ଡୀ। ସେ ନିଜ ପୁଅକୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଯୋଗଦେଇ ସମସ୍ତଙ୍କ ମନ ଜିତିଛନ୍ତି।
ନିକଟରେ ଆୟୋଜିତ ଅଭିଭାବକ-ଶିକ୍ଷକ ବୈଠକରେ ସେ ଜିଲ୍ଲାପାଳ ଭାବେ ନୁହେଁ, ବରଂ ଜଣେ ସାଧାରଣ ଅଭିଭାବକ ଭାବେ ଯୋଗଦେଇଥିଲେ। ପୁଅର ପାଠପଢ଼ା, ଉପସ୍ଥାନ, ଆଚରଣ ଏବଂ ସାମଗ୍ରିକ ବିକାଶ ସମ୍ପର୍କରେ ଶିକ୍ଷକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଅଧିକାଂଶ ଅଭିଭାବକ ନିଜ ସନ୍ତାନଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ବତୀପୁରମ ଜିଲ୍ଲାପାଳ ଡା. ଏନ୍. ପ୍ରଭାକର ରେଡ୍ଡୀ ଏହି ଧାରଣାକୁ ବଦଳାଇବାର ପ୍ରୟାସ କରିଛନ୍ତି। ସେ ନିଜ ପୁଅକୁ ସରକାରୀ ଡି.ଭି.ଏମ୍. ହାଇସ୍କୁଲରେ ପଢ଼ାଉଛନ୍ତି। ତାଙ୍କର ଏହି ସରଳ ବ୍ୟବହାର ଓ ଦାୟିତ୍ୱବୋଧ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଏବଂ ସାଧାରଣ ଲୋକଙ୍କ ପ୍ରଶଂସା ସାଉଁଟିଛି।
Powered by Froala Editor