ନୂଆ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ‘ଇ-ରୁପି’ର ଉନ୍ମୋଚନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ‘ଇ-ରୁପି’ର ଉନ୍ମୋଚନ କରିଛନ୍ତି । ହିତାଧିକାରୀମାନଙ୍କ ନିକଟରେ ସରକାରୀ ସ୍କିମର ଲାଭ ପହଞ୍ଚାଇବା କ୍ଷେତ୍ରରେ ଏହା ବିପ୍ଳବ ଆଣିବ ବୋଲି କୁହାଯାଉଛି । ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଆରମ୍ଭ କରାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ଇ-ରୁପିକୁ ବ୍ୟବହାର କରାଯିବ । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)କୁ ଏହା ଆହୁରି ପାରଦର୍ଶୀ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଇ-ରୁପି ହେଉଛି ଏକ ଇ-ଭାଉଚର । ଏହାକୁ କୁ୍ୟଆର କୋଡ୍ କିମ୍ବା ଏସଏମଏସ ଭାବେ ହିତାଧିକାରୀଙ୍କ ମୋବାଇଲକୁ ପଠାଯିବ । ଇ-ରୁପିକୁ ବ୍ୟବହାର କରିବା ଲାଗି କାର୍ଡ, ପେମେଣ୍ଟ ଆପ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦରକାର ପଡ଼ିବ ନାହିଁ । ଯାହାଙ୍କ ମୋବାଇଲକୁ ଇ-ରୁପି ପଠାଯିବ ସେ ତାହାକୁ ଇଣ୍ଟରନେଟ ନଥିବା ସ୍ଥାନରେ ମଧ୍ୟ ପେମେଣ୍ଟ୍ ଲାଗି ବ୍ୟବହାର କରିପାରିବେ । ଇ-ରୁପି ଦେଉଥିବା ସବୁଠୁ ବଡ଼ ସୁବିଧା ହେଉଛି ଏହାକୁ ବ୍ୟବହାର କରିବା ଲାଗି ବ୍ୟାଙ୍କ ଆକାଉଣ୍ଟ ଥିବା ଜରୁରୀ ନୁହେଁ । ବ୍ୟାଙ୍କରେ ଖାତା ଖୋଲିନଥିବା ଲୋକମାନେ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ । ଯାହାଙ୍କ ପାଖରେ ମୋବାଇଲ ଅଛି ସେ ଏହି ଇ-ଭାଉଚରକୁ ବ୍ୟବହାର କରିପାରିବେ ।
Powered by Froala Editor