ନଦୀର ଜଳ ସ୍ତର ବୃଦ୍ଧି, ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର
କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ବ୍ୟାରେଜ ଆନନ୍ଦପୁରରେ ଜଳ ସ୍ତର ୩୭.୧୬୦ ମିଟର ରେକର୍ଡ କରାଯାଇଛି। ଯାହାକି ୱାର୍ନିିଂ ଲେବିଲ ଠାରୁ ମାତ୍ର ୦.୨୮୫ ମିଟର କମ୍ ରହିଛି। ତେବେ ବର୍ଷା ଜାରି ରହିଥିବାରୁ ଟପି ଯିବା ଆଶଙ୍କା ରହିଛି। ଏଣୁ ପ୍ରସାଶନ ପକ୍ଷରୁ ଆନନ୍ଦପୁର, ଘଷିପୁରା, ହାଟଡିହି ଅଞ୍ଚଳରେ ବନ୍ୟା ଆଶଙ୍କା କରି ପ୍ରସ୍ତୁତ ରହିଥିବା ସୂଚନା ମିଳିଛି।
ଲଗାଣ ବର୍ଷା ପରେ ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରେସମିଟ୍ କରି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ଜଳକା ନଦୀକୁ ଛାଡ଼ିଦେଲେ ମହାନଦୀ, ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି।ତେବେ ଏଥିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୪୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ଅଧିକ। ଏହି ସମୟରେ ରାଜ୍ୟର ୮ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।
ହୀରାକୁଦ ଡ୍ୟାମର ବର୍ତ୍ତମାନ ମାତ୍ର ଦୁଇଟି ଗେଟ୍ ଖୋଲା ରହିଥିବାବେଳେ ନରାଜଠାରେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ମୁତୟନ କରାଯାଇଛି। ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ମଧ୍ୟ କରାଯାଉଛି।
Powered by Froala Editor