ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଲେ ଦାରୁବ୍ରହ୍ମ
ପୁରୀ : ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ। ସୋମବାର, ଆଷାଢ଼ ଶୁକ୍ଲ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ନୀଳାଦ୍ରିବିଜେ କରାଯାଇଛି। ଜନ୍ମବେଦୀ ଲୀଳା ଶେଷ କରି ରତ୍ନବେଦୀରେ ବିଜେ କରିଛନ୍ତି ପରଂବ୍ରହ୍ମ। ରଥ ଉପରୁ ପ୍ରଭୁଙ୍କୁ ପହଣ୍ଡି କରି ସେବକମାନେ ବଡ଼ଦେଉଳରେ ବିଜେ କରାଇଛନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଦୈନନ୍ଦିନ ନୀତିକାନ୍ତି। ମଙ୍ଗଳବାର ଭକ୍ତ ପାଇବେ ନୀଳାଚଳ ଅବଢ଼ା। ଏଗାର ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିବ ଶ୍ରୀମନ୍ଦିର ଆନନ୍ଦବଜାର। ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅଖଣ୍ଡ ପୁଣ୍ୟଲାଭ କରିବେ ଶ୍ରଦ୍ଧାଳୁ। ସୋମବାର ରଥ ଉପରେ ମଧ୍ୟାହ୍ନ ଧୂପ, ବେଶ, ସନ୍ଧ୍ୟାଆଳତି ଓ ସନ୍ଧ୍ୟାଧୂପ ପରେ ଚାର ବନ୍ଧା ଯାଇଥିଲା। ସିଂହାସନ ମାଜଣା କରାଯିବା ସହ ପୁଷ୍କାଞ୍ଜଳି ଅର୍ପଣ କରାଯାଇଥିଲା। ବିଜେ କାହାଳୀ ବାଜିବା ପରେ ପ୍ରଭୁଙ୍କୁ ବନ୍ଦାପନା ଓ ଡୋରଲାଗି କରାଯାଇଥିଲା। ପାଳିଆ ମହାଜନ ସେବକ ରଥ ଉପରୁ ରାମକୃଷ୍ଣ ଓ ମଦନ ମୋହନଙ୍କୁ ନେଇ ଶ୍ରୀମନ୍ଦିର ଦକ୍ଷିଣଘରେ ବିଜେ କରାଇଥିଲେ। ମିଳିତ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦଇତାପତି ପହଣ୍ଡି କରାଇଥିଲେ। ଏହା ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡି କରାଯାଇଥିଲା। କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ପହଣ୍ଡି ଦେଖିବାକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ଲକ୍ଷାଧିକ ଭକ୍ତ। ଶେଷରେ ଆରମ୍ଭ ହୋଇଥିଲା ପ୍ରଭୁଙ୍କ ପହଣ୍ଡି ବିଜେ ନୀତି। ସେବକମାନେ ନନ୍ଦିଘୋଷ ରଥ ସିଂହାସନରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି ଚାରମାଳ ଉପରକୁ ନେଇଥିଲେ।
ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଁଞ୍ଚିବା ମାତ୍ରେ ଲକ୍ଷ୍ମୀଙ୍କ ନିର୍ଦେଶରେ ଭିତରୁ ଦୁଆର ବନ୍ଦ କରାଯାଇଥିଲା। ସେଠାରେ କିଛି ସମୟ ଅଟକି ରହିଥିଲେ ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା। କିଛି ସମୟ ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିଥିଲେ। ଶ୍ରୀଜଗନ୍ନାଥ ବାଇଶିପାହାଚ ଦେଇ ଝୁଲିଝୁଲି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଜୟବିଜୟ ଦ୍ୱାର ନିକଟରେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ପୁଣିଥରେ ଭିତରୁ ଦୁଆର ବନ୍ଦ କରାଯିବା ସହ ପରମ୍ପରା ଅନୁଯାୟୀ ବଚନିକା ହୋଇଥିଲା। କାଳିଆ ସାଆନ୍ତ ଭଣ୍ଡାରଘର ନିକଟରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ ସମୟର ଗଇଣ୍ଠାଳ ଫିଟାଇଥିଲେ। ସେଠାରେ ମହାପ୍ରଭୁଙ୍କୁ ବନ୍ଦାପନା କରାଯାଇଥିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। କାଳିଆ ଠାକୁରଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା। ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରିବିଜେ ନୀତି ଦେଖିବାକୁ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ବିଭିନ୍ନ ମଠ ପକ୍ଷରୁ ମହାପ୍ରଭୁଙ୍କୁ ପନ୍ତି ଭୋଗ କରାଯାଇଥିଲା। ବିଳମ୍ବିତ ରାତିରେ ଦଇତାପତିମାନେ ରତ୍ନ ସିଂହାସନରେ ପ୍ରଭୁଙ୍କ ରୁନ୍ଧାନୀତି ସମ୍ପନ୍ନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Powered by Froala Editor