ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ରହିଛି ରଥ ତ୍ରୟ
ପୁରୀ : ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି। ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ସରିଲା। ଏବେ ରତ୍ନବେଦୀକୁ ଫେରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବାହୁଡା ଯାତ୍ରାରେ ବାହୁଡିବେ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଉତ୍ସବମୁଖର ଶରଧାବାଲି। ମହାପ୍ରଭୁଙ୍କ ଦର୍ଶନ ଲାଗି ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି ହେବ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରା ପହଁରା ନୀତି ପରେ ଅପରାହ୍ଣ ୪ଟା ମଧ୍ୟରେ ଚାରମାଳ ଫିଟା ପରେ ଆରମ୍ଭ ହେବ ରଥଟଣା। ଅପେକ୍ଷାରେ ରହିଛି ଶୂନ୍ୟ ରଥ ତ୍ରୟ। ଶ୍ରୀକ୍ଷେତ୍ରରେ ଭକ୍ତ ବିଭୋର ହୋଇଛନ୍ତି। ଚକା ଆଖିକୁ ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ମନ ବ୍ୟାକୁଳ। ଅଶ୍ରୁଭରା ନେତ୍ରରେ ଚାହଁ ରଖିଛନ୍ତି ଠାକୁରଙ୍କୁ। ପ୍ରୀତିର ଭାବାବେଗରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ। ଆଡପ ମଣ୍ଡପରେ ଚାଲିଛି ପ୍ରଭୁଙ୍କ ନୀତିକାନ୍ତି। ତିନି ଠାକୁରଙ୍କୁ ପାଛୋଟି ନେବା ପାଇଁ ସୁସଜ୍ଜିତ ହୋଇଛି ସିଂହଦ୍ୱାର।
Powered by Froala Editor