ସ୍ମାର୍ଟ ସିଟିରେ ଅବିଶ୍ରାନ୍ତ ବର୍ଷା
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ପୁରୀ ଓ ଭୁବନେଶ୍ୱରରେ ଅଧିକ ବର୍ଷା ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା। ସହରର ପ୍ରମୁଖ ତଳି ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା । ଅନେକ ଲୋକ ଘରୁକୁ ଫେରିବା ଲାଗି ନାକେଦମ ହୋଇଛନ୍ତି । ଇସ୍କନ ଆଗରେ ପୁଣି ରାଜପଥ ଜଳବନ୍ଦୀ ହୋଇଛି । ଜନପଥ ଏବଂ ସଚିବାଳୟ ମାର୍ଗରେ ପାଣି ଉବୁଟୁବୁ ହୋଇଛି । ଏହି ବର୍ଷା ବିଏମ୍ସିର ବର୍ଷା ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି । ରାତି ୮ଟା ୩୦ ସୁଦ୍ଧା ୨୨ ମିମି ବର୍ଷା ରେର୍କଡ କରାଯାଇଥିଲା । କଟକ ରୋଡ୍ ବମିଖାଲ ନିକଟରେ ଡ୍ରେନ୍ କାମ ଚାଲିଥିବାରୁ ସେଠାରେ ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁ ରାସ୍ତାରେ ପାଣି ଲହଡି ଖେଳିଥିଲା । ଫଳରେ ଅପରାହ୍ଣରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଲୋକେ ଜାମ୍ରେ ଫଶି ରହିଥିଲେ । ଇସ୍କନ ଆଗରେ କାର୍ ଓ ବସ୍ ପାଣିରେ ବୁଡ଼ିଥିଲା । କିଛି ସମୟ ପରେ ପାଣି ନୂଆପଲ୍ଲୀ ବେହେରା ସାହି ଦମୟନ୍ତୀ ଆପାର୍ଟମେଣ୍ଟ ଅଞ୍ଚଳରେ ପାଣି ଜମିଥିଲା । ୨ ଘଣ୍ଟା ଧରିସ୍ଥିତି ଅସମ୍ଭାଳ ହୋଇଥିଲା । ଏହା ପରେ ବିଏମ୍ସି ପକ୍ଷରୁ ସେଠାରେ ପାଣି ପାଇପ୍ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା ।
ଜୟଦେବ ବିହାର ଆଚର୍ଯ୍ୟବିହାର ଏନ୍ଏଚ୍ ଓଭରବ୍ରଜ୍ ଉପରେ ଆଣ୍ଠୁଏ ପାଣି ଜମିଥିଲା । ଫଳରେ ଏନ୍ଏଚ୍ରେ ନୂଆପଲ୍ଲୀ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥିଲା । ଏହା ସହ ଅପରପାର୍ଶ୍ୱ ରାସ୍ତା ତଥା ଏନ୍ଏଚ୍ ଓଭରବ୍ରିଜ୍ ଫାୟାରଷ୍ଟେସନରୁ ବରମୁଣ୍ଡା ଉପରେ ମଧ୍ୟ ପାଣି ଜମିଥିଲା । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାରେ ପ୍ରବଳ ପାଣି ଜମିଥିଲା । ରାସ୍ତାରେ ପାଣି ଲହଡ଼ି ଖେଳିଥିଲା ।
Powered by Froala Editor