ତୃତୀୟ ଲହର ଆତଙ୍କ, ଅଗଷ୍ଟ ମାସରେ ବ୍ୟାପିବା ଆଶଙ୍କା

ନୂଆଦିଲ୍ଲୀ: କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ ପୁଣି ଚିନ୍ତା ବଢାଇ ଦେଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ନକମୁଣୁ ପୁଣି ତୃତୀୟ ଲହର ଆତଙ୍କ ଗ୍ରାସିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ କରୋନାର ତୃତୀୟ ଲହର ଚଳିତ ଅଗଷ୍ଟ ମାସରେ ବ୍ୟାପିବା ଆଶଙ୍କା ରହିଛି । ଏହା ଅକ୍ଟୋବରରେ ଶୀର୍ଷ ସଂକ୍ରମଣ ସ୍ତରରେ ପହଞ୍ଚିବ । ଦେଶର ଦଶଟି ରାଜ୍ୟରେ ଟେଷ୍ଟ ପଜିଟିଭ ରେଟ୍ (ଟିପିଆର) ବା ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତୃତୀୟ ଲହର ସମୟରେ ଦୈନିକ ସଂକ୍ରମଣ ସ୍ତର ୧ ଲକ୍ଷରୁ କମ୍ ରହିବ । ଅତିବେଶୀରେ ଏହା ଦେଢଲକ୍ଷ ପର୍ୟ୍ୟନ୍ତ ପହଞ୍ଚିପାରେ । ହାଇଦରାବାଦ ଓ କାନପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି (ଆଇଆଇଟି)ର ପ୍ରଫେସର ମାଥୁକୁମାଲ୍ଲି ବିଦ୍ୟାସାଗର ଏବଂ ମହିନ୍ଦ୍ରା ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଗବେଷକ ଦଳ କହିଛନ୍ତି ଯେ, ଦେଶର ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ତୃତୀୟ ଲହରର କାରଣ ହେବ । ବିଶେଷକରି କେରଳ, ମହାରାଷ୍ଟ୍ର ଭଳି ରାଜ୍ୟ ଏ କ୍ଷେତ୍ରରେ ଆଗରେ ରହିବେ ବୋଲି ବିଦ୍ୟାସାଗର କହିଛନ୍ତି । କୋଭିଡ-୧୯ ସଂକ୍ରମଣ ଘଟଣାର ମଡେଲ ପ୍ରସ୍ତୁତି ନିମନ୍ତେ ଗଠିତ ସରକାରୀ ଦଳରେ ସ୍ଥାନ ପାଇଥିବା ବୈଜ୍ଞାନିକ ଶ୍ରୀ ଅଗ୍ରୱାଲ ଗତ ମାସରେ କହିଥିଲେ ଯେ, ଦ୍ୱିତୀୟ ଲହର ସମୟରେ ଦୈନିକ ଯେତିକି ସଂକ୍ରମଣ ପରିଲକ୍ଷିତ ହୋଇଥିଲା, ତୃତୀୟ ଲହରରେ ତାହାର ପ୍ରାୟ ଅର୍ଦ୍ଧେକ ଲୋକ ସଂକ୍ରମିତ ହେବେ ଏବଂ କୋଭିଡ ସଂପର୍କିତ କଟକଣାକୁ ପାଳନ କରାନଗଲେ ଅକ୍ଟୋବର- ନଭେମ୍ବରରେ ତୃତୀୟ ଲହର ଶିଖର ଛୁଇଁବ ।
Powered by Froala Editor