ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ରହିବ କଟକଣା, ଅଣସେବାୟତ ଚଢିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ଏବଂ ନୀତିକାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ନନ୍ଦିଘୋଷ ରଥ ଦାୟିତ୍ଵରେ ପୁରୀ ଜିଲ୍ଲାପାଳ, ତାଳଧ୍ବଜ ରଥ ଦାୟିତ୍ଵରେ ପୁରୀ ଏସପି ଏବଂ ଦର୍ପଦଳନ ରଥ ଦାୟିତ୍ଵରେ ଅତିରିକ୍ତ ଜିଲ୍ଲାପାଳ ରହିବେ । ପ୍ରତି ରଥରେ ନିର୍ଦ୍ଦେଶକ ଏବଂ ବୈଷୟିକ ଦଳ ରହିବେ । ରଥଟଣା ସମସ୍ତ ନିଷ୍ପତ୍ତି ନେବେ ଏହି ଦଳ । ରଥ କର୍ଡନ ଭିତରେ କର୍ଡନ ପାସ୍ ସୀମିତ ସଂଖ୍ୟକ ଦିଆଯିବ । କେବଳ ପ୍ରାଧିକୃତ ଅଧିକାରୀ ଏବଂ ସେବାୟତ ରଥ ନିକଟରେ ରହିବା ପାଇଁ ଅନୁମତି ଦିଆଯିବ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ରହିବ । ରଥ ଉପରେ ଅନଧିକୃତ ବ୍ୟକ୍ତି କିମ୍ବା ଅଣସେବାୟତ ଚଢିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚଳିତ ବର୍ଷ ପ୍ରତି ରଥ ପାଇଁ ଆଉ ଗୋଟିଏ ସେଟ୍ ରଥ ଦଉଡି଼ ରଖାଯିବ । ରଥ ଦଉଡି଼ ଦାୟିତ୍ଵରେ ପୋଲିସ ଅଧିକାରୀମାନେ ରହିବେ। ସେହିପରି ଚଳିତ ବର୍ଷ ଦୁଇଟି ଚାରମାଳ ସେଟ୍ ରହିବ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଲାଗିବା ପରେ କେଉଁ ସମୟରେ ଚାରମାଳ ନିଆଯିବ ସେନେଇ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା କାର୍ଯ୍ୟ କରାଯିବ । ବଡ଼ଦାଣ୍ଡରେ ରଥ ରହିଲେ ରଥକୁ ସଙ୍ଗେ ସଙ୍ଗେ କର୍ଡନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ । ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି କରାଯିବା ପାଇଁ ଚେଷ୍ଟା କରାଯିବ ।
୧୪ ତାରିଖରେ ନବଯୌବନ ଦର୍ଶନ ଅପରାହ୍ନ ୨ଟାରେ ଆରମ୍ଭ ହେବ । ଚଳିତବର୍ଷ ସୀମିତ ତଥା କମ୍ ସମୟ ପାଇଁ ଭକ୍ତମାନେ ନବଯୌବନ ଦର୍ଶନ କରିବେ । ମହାପ୍ରଭୁଙ୍କ ନୀତି ବହୁଳତା ପାଇଁ କମ୍ ସମୟ ଦର୍ଶନ ବ୍ୟବସ୍ଥା ରହିବ । ନେତ୍ରୋତ୍ସବ ପରଦିନ ଉଭା ଅମାବାସ୍ୟାରେ ମହାପ୍ରଭୁଙ୍କର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
Powered by Froala Editor