ଦରମା ବୃଦ୍ଧି ଦାବିରେ ମୋ ବସ୍ ଡ୍ରାଇଭଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧମକ
ଭୁବନେଶ୍ୱର: ଦରମା ବୃଦ୍ଧି ଦାବିରେ ଆଜି ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୋ ବସ୍ ଡ୍ରାଇଭର। ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ମୋ ବସ୍ ଡ୍ରାଇଭର। ଫଳରେ ଆଜି ମୋ’ ବସ୍ ସେବା ପ୍ରଭାବିତ ହୋଇଛି।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ୧୪ଟି ରୁଟ୍ରେ ଚଳାଚଳ କରୁନି ମୋ ବସ୍। ମୁଖ୍ୟତଃ ଖୋର୍ଦ୍ଧା, ବାଳକାଟୀ, ସାଇ ମନ୍ଦିର ରୁଟ୍ରେ ପ୍ରାୟ ଶହେଟି ବସ୍ ଚଳାଚଳ ବନ୍ଦ ରହିଛି।
ସମ୍ ହସ୍ପିଟାଲ ନିକଟ ଡିପୋରେ ଡ୍ରାଇଭରମାନେ ଆନ୍ଦୋଳନା ଚଳାଇଥିବା ବେଳେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। କର୍ତ୍ତୃପକ୍ଷ ପହଞ୍ଚି ଆଲୋଚନା କରିଥିଲେ ବି ତାହା ଫଳପ୍ରଦ ହୋଇପାରି ନ ଥିବା ଜଣାଯାଇଛି। ନିଷ୍ପତ୍ତି ନେବାକୁ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗୁଥିବା ବେଳେ ଅଲଗା ବସ୍ ଡ୍ରାଇଭର ମଗାଇ ବସ୍ ବାହାର କରୁଥିବାରୁ ଏହାକୁ ଆନ୍ଦୋଳନରତ ଡ୍ରାଇଭର ତୀବ୍ର ବିରୋଧ କରିଛନ୍ତି।
ଏନେଇ ବିକ୍ଷୋଭରତ ଡ୍ରାଇଭର କହିଛନ୍ତି, ଆମେ ୮ ଘଣ୍ଟାକୁ ୧୨ ହଜାର ପାଉଛୁ। କଟିକାଟି ଆମ ପାଖକୁ ୧୧, ୫୦୦ ଆସୁଛି। ଏବେ ଯାହା ଦରଦାମ ବଢ଼ିଲାଣି, ତେଲ ଲିଟର ଦେଢଶ, ପେଟ୍ରୋଲ ଲିଟର ୧୦୪ ଟଙ୍କା ହେଲାଣି । ଏତେ କମ୍ ଦରମାରେ ଚଳିବା ଅସମ୍ଭବ ହେଉଛି। ତେଣୁ ଆମକୁ ମାସକରେ ୨୬ ଦିନକୁ ୮ ଘଣ୍ଟା ହିସାବରେ ୧୮ ହଜାର ଦରମା ଦିଆଯାଉ। ଏଥିସହ ଅନ୍ୟ ଜଣେ ଡ୍ରାଇଭର କହିଛନ୍ତି, ବାରମ୍ବାର ଦାବି ସତ୍ତ୍ୱେ କର୍ତ୍ତୃପକ୍ଷ ଶୁଣି ନାହାନ୍ତି। ୮ ଘଣ୍ଟାକୁ ୧୮ ହଜାର ଟଙ୍କା ଦିଅନ୍ତୁ । କରୋନା ସମୟରେ କାମଧନ୍ଦା ବନ୍ଦ ହୋଇ ଯାଇଥିବା ବେଳେ ନୋ ୱାର୍କ ନୋ ପେ କରିଛନ୍ତି। ଫଳରେ ଆମେ ଚଳିବାକୁ ବହୁ ହଇରାଣ ହେଉଛୁ। ଦାବି ପୂରଣ ନ ହେଲେ ଏଠାରୁ ଉଠିବୁ ନାହିଁ।
Powered by Froala Editor