କଠୋର ହେଲେ ଜମ୍ମୁକାଶ୍ମୀର ସରକାର : ସୁରକ୍ଷା କର୍ମୀଙ୍କୁ ପଥର ଫିଙ୍ଗିଥିଲେ ମିଳିବନି ସରକାରୀ ଚାକିରି
ଆଇନଶୃଙ୍ଖଳା ଉଲ୍ଲଂଘନ କରୁଥିବା ଯୁବବର୍ଗଙ୍କ ପାଇଁ କଠୋର ହୋଇଛନ୍ତି ଜମ୍ମୁକାଶ୍ମୀର ସରକାର । ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ଫିଙ୍ଗୁଥିବା ଯୁବକଙ୍କୁ ଏଣିକି ଆଉ ବିଦେଶ ଯିବାର ସୁଯୋଗ ମିଳିବ ନାହିଁ କିମ୍ବା ତାଙ୍କର ପାସପୋର୍ଟ ଭେରିଫିକେସନ୍ କରାଯିବନି। ସେମାନେ ସରକାରୀ ଚାକିରି ମଧ୍ୟ ପାଇବେ ନାହିଁ । ଏ ସମ୍ପର୍କରେ କଶ୍ମୀର ସିଆଇଡି ସର୍କୁଲାର ଜାରି କରିଛନ୍ତି।
ଏଥିରେ କୁହାଯାଇଛି ଯେ, ପାସପୋର୍ଟ, ସରକାର ଚାକିରୀ କିମ୍ବା ସରକାରୀ ଯୋଜନା ସମ୍ପର୍କୀତ ମାମଲାରେ କୌଣସି ବ୍ୟକ୍ତିଙ୍କ ସିକ୍ୟୁରିଟି କ୍ଲିୟରାନ୍ସ ରିପୋର୍ଟ ତିଆରି କରାଗଲେ, ସେତେବେଳେ ଏହି ଏହି କଥାକୁ ଧ୍ୟାନରେ ରଖାଯିବ ଉକ୍ତ ବ୍ୟକ୍ତି ପଥରମାଡ, ଆଇନ-କାନୁନ ବ୍ୟବସ୍ଥା ଭଙ୍ଗ କିମ୍ବା ଅନ୍ୟ ଅପରାଧରେ ସାମିଲ ଅଛନ୍ତି କି ନାହିଁ। ଯଦି ଏଭଳି କେହି ନମିଳନ୍ତି ତେବେ ତାଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ଦିଆନଯାଉ। ଏଭଳି ବ୍ୟକ୍ତିଙ୍କ ଚିହ୍ନଟ ସମ୍ପର୍କରେ ପୋଲିସ ଷ୍ଟେସନରୁ ମଧ୍ୟ ରିପୋର୍ଟ ନିଆଯାଉ। ଏହା ବ୍ୟତୀତ ସୁରକ୍ଷା ଏଜେନ୍ସି ଓ ପୋଲିସ ପାଖରେ ଏଭଳି ଲୋକଙ୍କ ସିସିଟିଭି ଫୁଟେଜ୍, ଫଟୋ, ଭିଡିଓ, ଅଡିଓ ଓ କ୍ବାଡକ୍ରପ୍ଟର ଜରିଆରେ ନେଇଥିବା ଫଟୋ ରହିଥାଏ,ତାଙ୍କର ମଧ୍ୟ ସାହାଯ୍ୟ ନିଆଯିବ।
ସିଆଇଡି କାଶ୍ମୀରର ଏସଏସପି ତାଙ୍କ ଅଧୀନରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ଏକ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ଯେତେବେଳେ ପାସପୋର୍ଟ ସେବା ତଥା ସରକାରୀ ଚାକିରି ପାଇଁ କୌଣସି ବ୍ୟକ୍ତିଙ୍କ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରନ୍ତି, ସେତେବେଳେ ଏହିକଥା ପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ ।
Powered by Froala Editor