କରୋନା ତୃତୀୟ ଲହର ସହ ଆସିଲା ଜିକା ଭାଇରସ ଆତଙ୍କ : ପୁଣେରୁ ଜଣେ ଚିହ୍ନଟ

କରୋନାର ତୃତୀୟ ଲହର ଲୋକଙ୍କ ଡରାଇଲାଣି । ତାଭିତରେ ଜିକା ଭାଇରସ ଆଉ ଏକ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁରନ୍ଦର ତାଲୁକା ଅନ୍ତର୍ଗତ ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହି ମାସ ଆରମ୍ଭରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣେ ଅଧିକାରୀ କହିଛନ୍ତି। ତାଙ୍କ ପରିବାରର କାହାରିଠାରେ ଏହି ରୋଗର ଲକ୍ଷଣ ଦେଖାଯାଇ ନାହିଁ। ଜିକା ଭାଇରସକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ପାଞ୍ଚ ଜଣ ରୋଗୀଙ୍କ ନମୁନା ଜୁଲାଇ ୧୬ରେ NIV ପୁଣେକୁ ପଠାଯାଇଥିଲା। ସେଥିରୁ ତିନୋଟି ନମୁନାରେ ଚିକେନ୍ଗୁନିଆ ମିଳିଥିଲା। ଜୁଲାଇ ୨୭ ରୁ ୨୯ ପର୍ଯ୍ୟନ୍ତ NIV ଟିମ୍ ବେଲସର ଏବଂ ପରିଞ୍ଚେ ଗ୍ରାମ ପରିଦର୍ଶନ କରି ୪୧ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ନେଇଥିଲେ। ଏଥିମଧ୍ୟରୁ ୨୫ ଜଣଙ୍କ ଠାରେ ଚିକେନ୍ଗୁନିଆ, ତିନୋଟି ଡେଙ୍ଗୁ ଏବଂ ଜଣଙ୍କ ଠାରେ ଜିକା ଭୂତାଣୁ ମିଳିଥିଲା। ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍ ଗୁନିଆରେ ମଧ୍ୟ ପୀଡିତ ଥିଲେ। ଜିକା ଭାଇରସ ମାମଲା ପାଇବା ପରେ ଏକ ସରକାରୀ ଡାକ୍ତରୀ ଦଳ ଶନିବାର ପୁରନ୍ଦର ତହସିଲର ବେଲସର ଗ୍ରାମ ପରିଦର୍ଶନ କରିଥିଲେ। ସେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଥିଲେ।
Powered by Froala Editor