ଠିକ୍ ଭାବେ ଚାଲିପାରୁ ନାହିଁ ସଂସଦ
ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନ ଗତ ୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଠିକ୍ ଭାବେ ଚାଲିପାରୁ ନାହିଁ। ଦୁଇ ସପ୍ତାହ ମଧ୍ୟରେ ଲୋକସଭା ସମ୍ଭାବ୍ୟ ୫୪ ଘଣ୍ଟା ମଧ୍ୟରୁ ଚାଲିଛି ମାତ୍ର ୭ଘଣ୍ଟା। ସେହିଭଳି ରାଜ୍ୟସଭା ୫୩ ଘଣ୍ଟା ମଧ୍ୟରୁ ମାତ୍ର ୧୧ ଘଣ୍ଟା କାର୍ଯ୍ୟ କରିବାକୁ ସକ୍ଷମ ହୋଇଛି। ଏଭଳି ଭାବରେ ଦୁଇ ସଦନ ମୋଟ ଉପରେ ୧୦୭ ଘଣ୍ଟା ସ୍ଥାନରେ ମାତ୍ର ୧୮ଘଣ୍ଟା କାର୍ଯ୍ୟକ୍ଷମ ହୋଇପାରିଛି। ଏହାଦ୍ବାରା ଜନସାଧାରଣଙ୍କ ଟିକସ ଅର୍ଥରୁ ୧୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ହିସାବରୁ ଜଣାପଡ଼ିଛି। ବିରୋଧୀ ପେଗାସସ୍ ସ୍ପାଇୱେର ଗୁଇନ୍ଦାଗିରି, କୃଷକ ଆନ୍ଦୋଳନ ଭଳି ବହୁ ଜାତୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଜିଦ୍ ଧରିଥିବାବେଳେ ସରକାର ଏଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି। ଏଥିମଧ୍ୟରେ କେତେକ ବିଧେୟକକୁ ସରକାର ବିନା ବିତର୍କରେ ଗୃହୀତ କରାଇନେଇଛନ୍ତି। ସେଥିପାଇଁ ଉଭୟ ସଦନରେ ବିଭ୍ରାଟ ଲାଗିରହିଛି ଏବଂ ଗତ ୭ବର୍ଷର ଶାସନ କାଳ ମଧ୍ୟରେ ପ୍ରଥମ ଥର ସରକାର ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏମିତି କି ଜୁଲାଇ ୭ରେ ପୁନର୍ଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ସଂସଦରେ ପରିଚିତ କରାଇବା ସରକାରଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ। ପ୍ରଧାନମନ୍ତ୍ରୀ ଏଭଳି ବିଭ୍ରାଟ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି; କିନ୍ତୁ ଉପରୋକ୍ତ ଦୁଇ ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଏକାଧିକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନାହିଁ। ସଂସଦ ଚାଲୁ କରିବା ପାଇଁ ବିରୋଧୀ ଦଳ ସଦସ୍ୟମାନେ ଏକାଧିକ ଥର ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ସରକାର ମଧ୍ୟ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନାହାନ୍ତି।
ପେଗାସସ୍ ଓ କୃଷକ ଆନ୍ଦୋଳନ ସମ୍ପର୍କରେ ସଂସଦରେ ଆଲୋଚନା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ଦାବିରେ ଶିରୋମଣି ଅକାଳୀ ଦଳ, ବହୁଜନ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଓ ଜାମ୍ମୁ-କାଶ୍ମୀର ନ୍ୟାସନାଲ କନ୍ଫରେନ୍ସ ଭଳି ୪ ଦଳର ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଅକାଳୀ ଦଳ ନେତ୍ରୀ ହର୍ଷିମରତ୍ କାଉର ବାଦଲଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ବିରୋଧୀ ଦଳଗୁଡ଼ିକ ଏହି ଜାତୀୟ ପ୍ରସଙ୍ଗରେ ଆଲୋଚନା ଦାବି କରିଆସୁଛନ୍ତି; କିନ୍ତୁ ସରକାର ଏଥିପାଇଁ ରାଜି ହେଉ ନାହାନ୍ତି। ସରକାର ଜନପ୍ରତିନିଧିଙ୍କ ସ୍ବରକୁ ଚପାଇଦେବା ଉଦ୍ୟମ କରୁଛନ୍ତି। ସେଥିପାଇଁ ସଂସଦ ଚାଲିପାରୁ ନାହିଁ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ବିରୋଧୀଙ୍କ ଦାବି ଗ୍ରହଣକରି ସଂସଦରେ ଉକ୍ତ ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ରାଷ୍ଟ୍ରପତି ସରକାରଙ୍କୁ ଏଥିପାଇଁ ନିର୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି। ପୂର୍ବରୁ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ଦେବାକୁ ବିରୋଧୀ ଦଳର କିଛି ନେତା ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିରୁ ମଧ୍ୟ ସୁଫଳ ମିଳି ନାହିଁ। ଏଭଳି ପରିସ୍ଥିତିରେ ସଂସଦ ଚାଲିବା ସମ୍ଭବ ହେଉ ନାହିଁ।
Powered by Froala Editor