୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ ହେବ ପୁରୀରେ
ଭୁବନେଶ୍ୱର: ପୁରୀରେ ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ବିଭାଗ ପକ୍ଷରୁ ‘ବିକଶିତ ଓଡ଼ିଶା ପାଇଁ ଜନଭାଗୀଦାରି ସଶକ୍ତ ନାଗରିକ-ସମାବେଶୀ ସହର-ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ’ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ଭଳି ସ୍ଥାନ ଭାବେ ନିର୍ମାଣ କରାଯିବ। ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ, ଶିକ୍ଷା ତଥା ବୃତ୍ତିଗତ ଆଲୋଚନାଚକ୍ର, ସାଂସ୍କୃତିକ ମହୋତ୍ସବ, ସରକାରୀ କାର୍ଯ୍ୟକ୍ରମ ଏବଂ ସାମାଜିକ ସମାବେଶ ଆଦି ଆୟୋଜନ କରାଯାଇପାରିବ।
ଏହି ପ୍ରକଳ୍ପ ଦ୍ୱାରା ପୁରୀରେ ଏକ ବୃହତ୍ ଓ ଆଧୁନିକ ପ୍ରେକ୍ଷାଳୟର ବହୁପ୍ରତୀକ୍ଷିତ ଆବଶ୍ୟକତା ପୂରଣ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ପୁରୀ ମହାନଗର ନିଗମର ଆୟୁକ୍ତଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
Powered by Froala Editor