ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା: ଲାମ୍ବୋ ନିହତ

ଜମ୍ମୁ ଓ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପର୍କୀୟ ତଥା କୁଖ୍ୟାତ ଆତଙ୍କୀ ଲାମ୍ବୋ ପ୍ରାଣ ହରାଇଛି। ଲାମ୍ବୋ ସହ ତା’ର ଜଣେ ସହଯୋଗୀ ମଧ୍ୟ ନିହତ ହୋଇଛି ।
ଏହା ସହିତ ଭାରତୀୟ ସେନା ୨୦୧୯ରେ ହୋଇଥିବା ପୁଲଓ୍ବାମା ଆକ୍ରମଣରେ ସଂପୃକ୍ତ ଥିବା ଶେଷ ଆତଙ୍କବାଦୀକୁ ମାରିବା ସହ ନିଜର ପ୍ରତିଶୋଧ ପୂରଣ କରିଛି । ପୁଲୱାମାର ନାଗବେରାନ ତରସାରା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଆର୍ମି, ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କୀମାନେ ଲୁଚି ଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରିବା କ୍ଷଣି ସେମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ସେମାନଙ୍କ ମୃତଦେହ ଠାବ କରାଯାଇଛି।
ଲାମ୍ବୋ ପୁଲଓ୍ବାମା ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ଥିଲା । ସେ ଆତ୍ମଘାତି ବିସ୍ଫୋରଣ କରିଥିବା ସ୍ଥାନୀୟ ଯୁବକ ଆଦିଲକୁ ତାଲିମ ଦେଇଥିଲା ବୋଲି ଭାରତୀୟ ସେନାର ଚିନାର କପ୍ସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ କହିଛନ୍ତି । ପୁଲଓ୍ବାମା ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ରିପୋର୍ଟରେ ବି ଲାମ୍ବୋର ନାଁ ଥିଲା ।
ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୧୪, ୨୦୧୯ରେ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମଘାତି ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଭାରତ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ।
Powered by Froala Editor