ତିରୁପତିରେ ଚନ୍ଦ୍ରବାବୁଙ୍କୁ ପଥର ମାଡ଼ , ଟିଡିପି କର୍ମୀ ମଧ୍ୟ ଆହତ
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପଥର ମାଡ଼ ହୋଇଛି। ସେ ସୋମବାର ତିରୁପତିରେ ସଭାକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ଟିଡିପିର ଜଣେ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ପରେ ଚନ୍ଦ୍ରାବାବୁ ମଞ୍ଚରୁ ଓହ୍ଲାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଧାରଣାରେ ବସିଥିଲେ। ପୁଲିସ୍ ଏବେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି।
ଆସନ୍ତା ୧୭ ତାରିଖରେ ତିରୁପତି ଲୋକସଭା ଆସନ ପାଇଁ ଉପ ନିର୍ବାଚନ ହେବ। ସେଥିପାଇଁ ଚନ୍ଦ୍ରବାବୁ ନାଇଡୁ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର କରୁଛନ୍ତି। ଏହିକ୍ରମରେ ସେ ପ୍ରଚାର କରୁଥିବା ବେଳେ ପଥର ମାଡ଼ର ଶିକାର ହୋଇଛନ୍ତି। ପଥର ମାଡ଼ ହେବାରୁ ଚନ୍ଦ୍ରବାବୁ ନାଇଡୁ ତୁରନ୍ତ ମଞ୍ଚରୁ ଓହ୍ଲାଇ ନିଜ ସହଯୋଗୀଙ୍କ ସହ ମିଶି ରାସ୍ତା ଅବରୋଧ କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦୀର୍ଘ ସମୟ ଧାରଣାରେ ବସିଥିଲେ। ପୁଲିସ୍ ଯଦି ଜେଡ୍ ପ୍ଲସ ସୁରକ୍ଷା ବଳରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ତା’ହେଲେ କେମିତି ସାଧାରଣ ଲୋକଙ୍କ କଥା ବୁଝିବ ବୋଲି ଚନ୍ଦ୍ରବାବୁ ପ୍ରଶ୍ନ କରିଛନ୍ତି।