୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ବଲାଙ୍ଗିର-ଆଟଗାଁ ରାସ୍ତା ଭାଲେର ଛକରୁ ବଲାଙ୍ଗିର ଅବକାରୀ ଵିଭାଗ ଏକ ଥାର୍ ଗାଡି ସହ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଝାଡ଼ଖଣ୍ଡ ଅଞ୍ଚଳର ସଲମନ ଅଲମ୍ (୨୯) ଓ ମହମ୍ମଦ ଅସିଫ (୪୦) ନାମକ ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଭାଲେର ଛକ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଭୋର ପ୍ରାୟ ୫ ଟାରେ ଅବକାରୀ ବିଭାଗ ଅଧିକାରୀ ଆସୁଥିବା ଥାର ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କଲାରୁ ଗାଡ଼ିରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ସଲମନ୍ ଓ ମହମ୍ମଦଙ୍କୁ ଗିରଫ ସହ ପଚରାଉଚୁରା କଲାରୁ ଅଭିଯୁକ୍ତମାନେ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଥାର ଗାଡ଼ିରେ ମହାରାଷ୍ଟ୍ର ଅଭିମୁଖେ ଚାଲାଣ କରୁଥିବା ଜଣା ପଡ଼ିଥିଲା। ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳ ଦେଇ ବଲାଙ୍ଗିର ସହରରେ ପହଞ୍ଚିବା ପୂର୍ବରୁ ଗଞ୍ଜେଇ ମାଫିଆ ଅବକାରୀ ବିଭାଗ ହାତରେ ଧରତ୍ପଡ଼ିଯାଇଥିଲେ। ଅଭିଯୁକ୍ତମାନଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ଯ ଜବତ ହୋଇଛି। ଜବତ ଗଞ୍ଜେଇ ଓଜନ କରାଯିବାରୁ ଏହା ୩ କ୍ୱିଣ୍ଟାଲ ୭୦ କେଜି ହୋଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୭ ଲକ୍ଷ ଟଙ୍କା ଓ ଥାର୍ ଗାଡ଼ିର ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏ ନେଇ ବଲାଙ୍ଗିର ଅବକାରୀ ଥାନାରେ ମାମଲା ରୁଜ୍ଜୁ ସହ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି।
Powered by Froala Editor