୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ-୩ ହେବ ନିର୍ମାଣ
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ୩୮,୪୧୬ରେ ପହଞ୍ଚିଛି। ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଯାତ୍ରୀ ପରିବହନ ୫.୧ ନିୟୁତ ଥିବାବେଳେ ୨୦୧୪-୧୫ ଆର୍ଥିକ ବର୍ଷ ବେଳକୁ ୧.୪ ନିୟୁତ ଯାତ୍ରୀ ଗମନାଗମନ କରିଥିଲେ। ୨୦୧୪-୧୫ ବର୍ଷରେ ୮ଟି ସହରକୁ ବିମାନ ଉଡ଼ାଣ କରୁଥିବା ବେଳେ ବର୍ତ୍ତମାନ ଦେଶ ଓ ବିଦେଶର ୩୦ଟି ସହରକୁ ବିମାନ ଉଡ଼ାଣ କରୁଛି। ବର୍ତ୍ତମାନ ବିମାନ ବନ୍ଦରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ଥିବାବେଳେ ଆଗାମୀ ଦିନରେ ଟର୍ମିନାଲ-୩ ନିର୍ମାଣ କରିବାକୁ ବିଚାରବିମର୍ଶ ଚାଲିଛି। ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ ନିର୍ମାଣ କରାଯିବ।
ନୂଆ ଟର୍ମିନାଲରେ ଓଡ଼ିଶାର ସଂସ୍କୃତି, ପରମ୍ପରା ସ୍ଥାନ ପାଇବ। ଫଳରେ ଯାତ୍ରୀ ଆସିଲେ ସଂସ୍କୃତି ଓ ପରାମର୍ଶ ଚିତ୍ର ଦେଖି ଓଡ଼ିଶା ରାଜ୍ୟକୁ ଅନୁଭବ କରିପାରିବେ ବୋଲି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପୂର୍ବ ଭାରତରେ ପ୍ରମୁଖ ବିମାନ ବନ୍ଦର ଭାବେ ପରିଗଣିତ। ରାଜ୍ୟର ପର୍ଯ୍ୟଟକ, ଆର୍ଥିକ, ଗମନାଗମନ କ୍ଷେତ୍ରରେ ଏହି ବିମାନ ବନ୍ଦରର ଭୂମିକା ରହିଛି।
ନୂଆ ସହରକୁ ବିମାନ ଉଡ଼ାଣ କରାଯାଇ ପାରିଛି। ଯାତ୍ରୀଙ୍କ ପାଇଁ ଡିଜିଯାତ୍ରା, ମାଗଣା ୱାଇ-ଫାଇ, ଶିଶୁ ଯତ୍ନ କୋଠରି, ଶିଶୁ ଖେଳିବା ବ୍ୟବସ୍ଥା, ମୋବାଇଲ ଓ ଲାପ୍ଟପ ଚାର୍ଜିଂ ବ୍ୟବସ୍ଥା, ଇଭି ଚାର୍ଜିଂ ଷ୍ଟେସନ ଆଦି ସୁବିଧା ଉପଲବ୍ଧ ହୋଇଛି। ରାଜ୍ୟରେ ପର୍ଯ୍ୟଟନସ୍ଥଳଗୁଡ଼ିକୁ ବୁଲିବା ପାଇଁ ବିମାନ ଯୋଗେ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ସୋଲାର ବିଦ୍ୟୁତ୍, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଚାରାରୋପଣ କରାଯାଇ ପାରିଥିବାରୁ ୨୦୨୩ ଏପ୍ରିଲ ୧ରୁ ଏହି ବିମାନ ବନ୍ଦର ଶତପ୍ରତିଶତ ସବୁଜ ବିମାନ ବନ୍ଦର ଭାବେ ପରିଗଣିତ ହୋଇଛି। ରାଜ୍ୟରେ ହକି ବିଶ୍ବକପ୍, ଜି-୨୦ କାର୍ଯ୍ୟକ୍ରମ, ପ୍ରବାସୀ ଭାରତୀୟ ଦିବସ, ସର୍ବଭାରତୀୟ ଡିଜି ସମ୍ମିଳନୀ, ଫେମିନା ମିସ୍ ଇଣ୍ଡିଆ, ବ୍ରିକ୍ସ ସମ୍ମିଳନୀ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି କାର୍ଯ୍ୟକ୍ରମରେ ବିମାନ ବନ୍ଦର ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଛି। ଉଡ଼ାଣ ଯୋଜନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ଉଡ଼ାଣ କରୁଛି। ଜୁନ ୧୫ରେ ବିମାନ ବନ୍ଦରରେ ଯାତ୍ରୀ ସୁବିଧା ଦିବସ ପାଳନ କରାଯିବ।
Powered by Froala Editor