ଏମ୍ସ ଆଗରେ ଶହ ଶହ ଠିକା କର୍ମଚାରୀଙ୍କ ଧାରଣା
ଖଣ୍ଡଗିରି : ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ଵର ଏମ୍ସ ଡାକ୍ତରଖାନାରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ଠିକ ସମୟରେ ଦରମା ଦାବି କରି ଏମ୍ସ ମୁଖ୍ୟ ଫାଟକ ଆଗରେ ଶହ ଶହ ଠିକା କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଫଳରେ ଆଜି ସକାଳୁ ରୋଗୀ ସେବା ଠପ ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ ଏକ ଠିକା ସଂସ୍ଥା ଅଧିନରେ ଭୁବନେଶ୍ୱର ଏମ୍ସରେ ଶତାଧିକ କର୍ମଚାରୀ କାମ କରନ୍ତି। ପୂର୍ବରୁ ୭ ତାରିଖ ମଧ୍ୟରେ ଦରମା ମିଳୁଥିଲା। କିନ୍ତୁ ଗତ କିଛି ମାସ ହେବ ଆଉ ଠିକ ସମୟରେ ଦରମା ମିଳୁନାହିଁ। ତେଣୁ କାମ କରୁଥିବା ଠିକା କର୍ମଚାରୀମାନଙ୍କ ଚଳିବାରେ, ଘରଭଡା ଦେବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ଗତ ଫେବୃଆରୀ ମାସରେ ଠିକା କର୍ମଚାରୀମାନେ ଏମ୍ସ ଆଗରେ ଆନ୍ଦୋଳନ କରିଥିଲେ। ଫଳରେ ଦୁଇ ତିନି ମାସ ଠିକ ଠାକ ଚାଲିଥିଲା। କିନ୍ତୁ ଏବେ ପୂର୍ବ ଭଳି ଦରମା ଦେବାରେ ବିଳମ୍ବ କରୁଛନ୍ତି। ଦରମା ଉପରେ ନିର୍ଭର କରୁଥିବା ଠିକା କର୍ମଚାରୀମାନେ କେମିତି ଚଳିବେ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ କତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।
Powered by Froala Editor