ବୃତଙ୍ଗ ଜଳସେଚନ ପ୍ରକଳ୍ପ ଅଧୀନରେ ୫୫୨ ମିଟର ଲମ୍ବର ମାଟି ବନ୍ଧ ଓ ସ୍ପିଲୱେ ନିର୍ମାଣ ହେବ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ବୃତଙ୍ଗ ଜଳସେଚନ ପ୍ରକଳ୍ପ ଅଧୀନରେ ନୟାଗଡ଼ ଜିଲ୍ଲାର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଲମ୍ବର ଏକ ମାଟି ବନ୍ଧ ଓ ସ୍ପିଲୱେ ନିର୍ମାଣ ହେବ । ଏଥିପାଇଁ ୧୯୪ କୋଟି ୭ ଲକ୍ଷ ୨୮ ହଜାର ୮୭୦ ଟଙ୍କା ୬୧ ପଇସାର ଟେଣ୍ଡର ଅନୁମୋଦନ ହୋଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୨୩, ୩୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ହେବ । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକର ୬ଟି ଗାଁ, ନୂଆଗାଁ ବ୍ଲକର ୯୫ଟି ଗାଁ, ନୟାଗଡ଼ ବ୍ଲକର ୯୮ଟି ଗାଁ, ଖଣ୍ଡପଡ଼ା ବ୍ଲକର ୯୫ଟି ଗାଁ ଏବଂ ଓଡ଼ଗାଁ ବ୍ଲକର ୧୫ଟି ଗାଁକୁ ମିଶାଇ ୩୦୯ଟି ଗାଁକୁ ସୁନିଶ୍ଚିତ ଜଳସେଚନ ସୁବିଧା ଯୋଗାଇଦେବ ।
Powered by Froala Editor