ହସ୍ପିଟାଲରେ ଜାଗା ଅଭାବ : କେଉଁଠି ଅପେକ୍ଷାରତ ଶହ ଶହ ରୋଗୀ ତ କେଉଁଠି ବାହାରେ ପଡୁଛି ମୃତଦେହ

କୋଭିଡ ପରିସ୍ଥିତି ଅଣାୟତ ହେଲାଣି । ବିଶେଷ କରି ହସ୍ପିଟାଲ ମାନଙ୍କରେ ସ୍ଥିତି ବିଗିଡିଗଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ବେଡ୍ ଅଭାବ ଦେଖାଦେଉଛି । କେଉଁଠି ବାହାରେ ଶହ ଶହ ରୋଗୀ ଗାଡିରେ ଅପେକ୍ଷା କରିଛନ୍ତି ତ କେଉଁଠି ରୋଗୀଙ୍କ ମୃତଦେହ ବାହାରେ ପଡିରହିଛି । ଏଭଳି ଦୟନୀୟ ସ୍ଥିତି ଦେଖାଦେଇଛି ଛତିଶଗଡ ରାଜଧାନୀ ରାୟପୁରରେ ଓ ଗୁଜରାଟର ସିଭିଲ ହସ୍ପିଟାଲରେ । ଗୁଜରାଟ ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସିଭିଲ୍ ହସ୍ପିଟାଲରେ ଥିବା ୧୨୦୦ ବେଡ୍ ଏବେ ଫୁଲ୍ ହୋଇ ଯାଇଛି। ବେଡ୍ ଖାଲି ନ ଥିବାରୁ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଆକ୍ରାନ୍ତମାନେ ରହିଛନ୍ତି। ବେଡ୍ ଖାଲି ହେଲେ ଆକ୍ରାନ୍ତମାନେ ଭିତରକୁ ଯିବାକୁ ଅପେକ୍ଷା କରିଛନ୍ତି। ଅହମଦାବାଦ ସହିତ ରାଜ୍ୟର ସୁରଟ, ରାଜକୋଟ ଆଦି ସହରରେ ମଧ୍ୟ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏପଟେ ରାୟପୁର ଡ. ଭିମ ରାଓ ଆମ୍ବେଡକର ମେମୋରିଆଲ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ଆଉ ଜାଗା ନାହିଁ। ଏଣୁ ମେଡିକାଲ ପରିସରରେ ଫାଙ୍କା ଥିବା ଯେକୌଣସି ସ୍ଥାନରେ ରଖାଯାଉଛି ମୃତଦେହ। ହସ୍ପିଟାଲ କର୍ତ୍ତୁପକ୍ଷ ନିଜ ଅକ୍ଷମତା ପ୍ରକାଶ କରିସାରିଛନ୍ତି। ମର୍ଚରିରେ ରଖାଯାଇଥିବା ମୃତଦେହର ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଗଦା ହୋଇଯାଉଛି ମୃତଦେହ । ହସ୍ପିଟାଲର ଆଇସିୟୁ ଓ ଓକ୍ସିଜେନ ଥିବା ବେଡ୍ ଗତ କିଛି ସପ୍ତାହ ହେଲା ଶତ ପ୍ରତିଶତ ଫୁଲ ରହିଛି।
କେହି ଚିନ୍ତା କରି ନ ଥିଲେ, ଏତେ ସଂଖ୍ୟାରେ ଏକାଥରକେ ମୃତ୍ୟୁ ଘଟିବ। ସାଧାରଣ ସଂଖ୍ୟକ ମୃତ୍ୟୁ ପାଇଁ ଆମ ପାଖରେ ଫ୍ରିଜର୍ସ ଅଛି। ଜଣେ ଦୁଇ ଜଣଙ୍କ ମୃତୁଦେହ ପାଇଁ ଆମେ ପ୍ରସ୍ତୁତ ହେଲାବେଳେ ଏକାଥରକେ ୧୦ରୁ ୨୦ ଜଣଙ୍କ ମୃତ୍ୟୁ ହୋଉଛି। ଏକା ସମୟରେ ଆମେ କେଉଁ ଭଳି ଏତେ ସଂଖ୍ୟାରେ ଫ୍ରିଜର୍ସ ଯୋଗାଡ଼ କରିପାରିବୁ ବୋଲି ପ୍ରଶ୍ନ କରିଛନ୍ତି ରାୟପୁର ମେଡିକାଲ ମୁଖ୍ୟ ଓ ସ୍ବାସ୍ଥ୍ୟ ଅଫିସର ମିରା ବାଘେଲ?