୫ ଦିନରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା: ୧୭୭୧ ଗିରଫ
ଭୁବନେଶ୍ବର : ଅପରାଧ ଓ ବେଆଇନ କାରବାର ବିରୋଧରେ ‘ସ୍ପେଶାଲ ଡ୍ରାଇଭ୍’ର ୫ ଦିନରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି। ଗଞ୍ଜେଇ, ମାରଣାସ୍ତ୍ର, ଗାଡ଼ି ଜବତ କରିବା ସହ ସମ୍ପୃକ୍ତ ୧୭୭୧ ଜଣଙ୍କୁ ଗିରଫ କରିଛି। ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦେଶକ୍ରମେ ୧୨ରୁ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ପୁଲିସ ରେଞ୍ଜ ଅନ୍ତର୍ଗତ ଜିଲା ଏସ୍ପି ଏବଂ ପୁଲିସ ଆୟୁକ୍ତଙ୍କ ନେତୃତ୍ବରେ ‘ସ୍ପେଶାଲ ଡ୍ରାଇଭ୍’ କରାଯାଇଥିଲା।
ଏହି ଡ୍ରାଇଭ୍ରେ ୧୭୭୧ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ୫ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪୪୯ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନ୍ଏସ୍ଏସ୍ (ପୂର୍ବତନ ୧୧୦ ସିଆରପିସି) ଅନୁଯାୟୀ ବୁକ୍ କରାଯାଇ ଥିବାବେଳେ ୧୨୬ ବିଏନ୍ଏସ୍ଏସ୍ ଅନୁଯାୟୀ ୬୪୩ ଜଣଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇଛି। ୩୧ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇ ୨୯ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩,୦୨୬ କେଜି ୭୦୨ ଗ୍ରାମ ଗଞ୍ଜେଇ ଏବଂ ୧୬.୬ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ନିଶା କାରବାରରେ ବ୍ୟବହୃତ ୬ଟି ଗାଡ଼ି, ୨ଟି ମୋବାଇଲ୍ ଫୋନ୍ ସହ ନଗଦ ୧୨,୩୪୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏନେଇ ୭୧୬ଟି ଅବକାରୀ ମାମଲା ରୁଜୁ ହୋଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୯୬୬ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଗାଡ଼ି ଜବତ କରାଯାଇଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୧ କୋଟି ୮୯ ଲକ୍ଷ ୨୩ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଗୋ-ଚାଲାଣ ରୋକିବାକୁ ପୁଲିସ ୫ଟି ମାମଲା ରୁଜୁ କରିଥିବାବେଳେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ ପଦକ୍ଷେପ ନେଇ ୧୩୬ଟି ମାମଲା ରୁଜୁ କରି ୬୦ ଜଣଙ୍କୁ ଗିରଫ କରିଛି। ଏହାସହ ୧୪ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଚୋରା ଖଣିଜ ଚାଲାଣରେ ବ୍ୟବହୃତ ୧୭୯ଟି ହାଇୱା, ଟ୍ରକ୍, ଟ୍ରାକ୍ଟର, ଟିପ୍ପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି।
Powered by Froala Editor