ହୁ ହୁ ବଢ଼ିଯିବ ସବୁ ଦର ଦାମ୍
ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ସବୁକିଛି ମହଙ୍ଗା କରିଦେଇଛି । ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ଉଭୟ ଇନ୍ଧନ ଦରରେ ୩ ଟଙ୍କା ଲେଖାଏଁ ବୃଦ୍ଧି ଘଟିଛି । ପେଟ୍ରୋଲ ଏବଂ ଡିଜେଲ ସହିତ କିଲୋଗ୍ରାମ ପିଛା ସିଏନ୍ଜି ଦର ୨ ଟଙ୍କା ବୃଦ୍ଧି ପାଇଛି । ମୁମ୍ବାଇରେ କିଲୋ ପିଛା ସିଏନ୍ଜି ଦର ୮୪ ଟଙ୍କା ଏବଂ ଦିଲ୍ଲୀରେ ୭୯.୦୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମୁଦ୍ରାସ୍ଫୀତିଜନିତ ଚାପ ଭୟଙ୍କର ଭାବେ ବଢ଼ିଯିବ ।
ଅର୍ଥନୀତିଜ୍ଞଙ୍କ କହିବାନୁସାରେ, ଉଚ୍ଚ ଇନ୍ଧନ ଦର ଯୋଗୁ ଆଗାମୀ ମାସଗୁଡ଼ିକରେ ପରିବହନ, ଲଜିଷ୍ଟିକ୍ସ ଏବଂ ଖୁଚୁରା ସାମଗ୍ରୀ ଦର ଅତି ମାତ୍ରାରେ ମହଙ୍ଗା ହୋଇଯିବ । ଏହାସହିତ ବସ୍ ଭଡ଼ା ଏବ କ୍ୟାବ୍ ଓ ବାଇକ୍ ରାଇଡ୍ ପାଇଁ ବି ପକେଟରୁ ଅଧିକ ଟଙ୍କା ଯିବ । ସଉଦାପତ୍ର ଏବଂ ବିମାନ ଟିକଟ ମହଙ୍ଗା ହେବ।
ପରିବା, ଫଳ, ସଉଦା, ଦୁଗ୍ଧ, ପ୍ୟାକେଟ ଖାଦ୍ୟ, ଔଷଧ ଏବଂ ନିତିଦିନ ବ୍ୟବହାର ହେଉଥିବା ଜରୁରୀ ସାମଗ୍ରୀ ପରିବହନ ହେଉଥିବା ଅଧିକାଂଶ ଟ୍ରକ ଡିଜେଲରେ ଚାଲିଥାଏ । ବସ୍, ଟ୍ରାକ୍ଟର, ଜେନେରେଟର ଏବଂ ବାଣିଜ୍ୟିକ ଯାନ ବି ଏହା ଉପରେ ନିର୍ଭର । ଏଣୁ ଡିଜେଲ ଦର ବଢ଼ିବା ଦ୍ୱାରା ସାମଗ୍ରୀ ପରିବହନ ଖର୍ଚ୍ଚ ବଢ଼ିବ ଏବଂ କମ୍ପାନିଗୁଡ଼ିକ ଏହାର ବୋଝ ଗ୍ରାହକଙ୍କ ଉପରେ ପକାଇବେ । ଏଣୁ ପେଟ୍ରୋଲ ଡିଜେଲ ମହଙ୍ଗା ହେବା ଦ୍ୱାରା ଦରଦାମ ବଢ଼ିବା ସ୍ୱାଭାବିକ । ଟମାଟୋ, ପିଆଜ ଏବଂ ଫଳ ଆଦି ଦର ବଢ଼ିବ । ଇନ୍ଧନ ଦର ବଢ଼ିବାର ପ୍ରଥମ ପ୍ରଭାବ ହାଣ୍ଡିଶାଳ ବଜେଟ ଉପରେ ପଡ଼ିଥାଏ । ପନିପରିବା, ଫଳ, ଦୁଗ୍ଧ, ଦହି, ପନୀର, ଶସ୍ୟ ଦର ବଢ଼ିବ ।
ଇରାନ ଯୁଦ୍ଧ ପରେ ଅଶୋଧିତ ତୈଳ ୫୦% ମହଙ୍ଗା ହୋଇଯାଇଛି କିନ୍ତୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଥିଲା । ମାସକୁ ସରକାରୀ ତୈଳ କମ୍ପାନିଗୁଡ଼ିକର କ୍ଷତି ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଯାଇଥିଲା । ଏଭଳି ସ୍ଥିତିରେ ଶୁକ୍ରବାର ଉଭୟ ଇନ୍ଧନ ଦରକୁ ବଢ଼ାଯାଇଛି ।
Powered by Froala Editor