ଡିଜିପି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ସୁପାରିଶ
ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍ସି ତିନୋଟି ନାମକୁ ସୁପାରିସ କରିବେ ଏବଂ ସେଥିମଧ୍ୟରୁ ଜଣଙ୍କ ନାମ ଉପରେ ସରକାର ମୋହର ମାରିବେ। ସୂଚନା ଯେ, ଓଡ଼ିଶା ପୁଲିସ ମହାନିର୍ଦେଶକ ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଆସନ୍ତା ଅଗଷ୍ଟ ୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୨୪ ଅଗଷ୍ଟ ୧୬ରେ ସେ ପଦଭାର ଗ୍ରହଣ କରିଥିଲେ। ଖାଲି ହେବାକୁ ଥିବା ଏହି ସ୍ଥାନ ପାଇଁ ନୂଆ ପୁଲିସ ମୁଖିଆ ଖୋଜା ଆରମ୍ଭ ହୋଇଛି।
ସରକାର ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ (୧୯୯୦), ଜେଲ୍ ଡିଜି ସୁଶାନ୍ତ କୁମାର ନାଥ (୧୯୯୩), ଗୁଇନ୍ଦା ନିର୍ଦେଶକ ଆର୍ପି କୋଚେ (୧୯୯୩), ଆଣ୍ଟି ନକ୍ସଲ ଅପରେସନ୍ସ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡା (୧୯୯୪), ଭିଜିଲାନ୍ସ ନିର୍ଦେଶକ ଯଶୋବନ୍ତ କୁମାର ଜେଠୱା (୧୯୯୪), ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା (୧୯୯୫), ପୁଲିସ ଆଧୁନିକୀକରଣ ଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ (୧୯୯୫), ଏସ୍ଏଫ୍ଏସ୍ଏଲ ନିର୍ଦେଶକ ଡା. ସନ୍ତୋଷ ବାଲା (୧୯୯୫), ସିଆଇଏସ୍ଏଫ୍ ଅତିରିକ୍ତ ମହାନିର୍ଦେଶକ ପଦ୍ମାକର ଏସ୍ ରଣପିସେ (୧୯୯୫), ରେଳପଥ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଅରୁଣ ବୋଥ୍ରା (୧୯୯୬), ଆଇବି (ମୁଖ୍ୟାଳୟ) ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅତିରିକ୍ତ ଡିଜି ସୁନିତା କାକରାନ (୧୯୯୬)ଙ୍କ ନାମ ୟୁପିଏସ୍ସିକୁ ସୁପାରିସ କରାଯାଇଛି।
ପୁଲିସର କାର୍ଯ୍ୟଶୈଳୀ ପାଇଁ ରାଜ୍ୟ ସରକାର ବଦନାମ ହେଉଛନ୍ତି। ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ କିଛି ଲୋକ ପିଟି ମାରିବା ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ଅବସରରେ ଡିଜିପି ଶ୍ରୀ ଖୁରାନିଆଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଅସନ୍ତୋଷ ଝାଡ଼ିଥିଲେ।
Powered by Froala Editor