ଚଳନ୍ତା ବସ୍ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ
ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡ଼ିତା ପୋଲିସକୁ କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଘରକୁ ଫେରୁଥିଲେ। ସେ ରାସ୍ତାକଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ସମୟ ପଚାରିଥିଲେ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନ ଭୟ ଏବଂ ଯନ୍ତ୍ରଣାରେ ପୂର୍ଣ୍ଣ ହୋଇଗଲା।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କୁ ଜବରଦସ୍ତି ଏକ ଘରୋଇ ସ୍ଲିପର ବସ୍ରେ ବସାଇ ଦେଇଥିଲେ । ଏହାପରେ ବସ୍ ଚାଲୁଥିବା ଅବସ୍ଥାରେ ଦୁଇ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ବସ୍ଟି ନାଙ୍ଗଲୋଇ ଅଞ୍ଚଳ ଦେଇ ଯାଉଥିବା ସମୟରେ ମହିଳା ଜଣକ ବଞ୍ଚିବା ପାଇଁ ଲଗାତାର ଚିତ୍କାର କରିଥିଲେ । ମାତ୍ର ଅଭିଯୁକ୍ତମାନେ ତାଙ୍କ କଥା ନଶୁଣି ମାଡ଼ ମାରିବା ସହ ବର୍ବରତା ପ୍ରଦର୍ଶନ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୀଡ଼ିତା ମହିଳା ଜଣକ କୌଣସି ପ୍ରକାରେ ପୁଲିସ ନିକଟରେ ପହଞ୍ଚି ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ।
ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତରୀ ପରୀକ୍ଷାରେ ବଳାତ୍କାରର ସତ୍ୟାସତ୍ୟ ପ୍ରମାଣିତ ହୋଇଛି। ପୋଲିସ ଘଟଣାରେ ବ୍ୟବହୃତ ସ୍ଲିପର ବସ୍ ଜବତ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
ପୋଲିସ କହିଛି, ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଅନେକ ଦଳ ନିୟୋଜିତ କରାଯାଇଛି ଏବଂ ଖିୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ପୀଡ଼ିତା ପିତାମପୁରାର ବସ୍ତିରେ ରୁହନ୍ତି ଏବଂ ମଙ୍ଗୋଲପୁରୀର ଏକ କାରଖାନାରେ କାମ କରନ୍ତି। ତାଙ୍କର ତିନୋଟି ଛୋଟ ଝିଅ ଅଛନ୍ତି। ଏହି କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ମନା କରିଥିଲେ। ସେ କହିଥିଲେ ଯେ, ଯଦି ସେ କାମକୁ ନ ଯାଆନ୍ତି, ତେବେ ଘର ଚଳାଇବା କଷ୍ଟକର ହୋଇଯିବ।
Powered by Froala Editor