ଟେନ୍ସନ ଦେଲାଣି ନୂଆ ଲକ୍ଷଣ ।

ଟେନ୍ସନ ଦେଲାଣି ନୂଆ ଲକ୍ଷଣ ।
ନୂଆଦିଲ୍ଲୀ: କରୋନା ପଞ୍ଝାରେ ସାରା ବିଶ୍ୱ । ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମୁକାବିଲା ପାଇଁ ଦେଶ ଲଢେ଼ଇ ଅବ୍ୟାହତ ରଖିଥିବା ବେଳେ ବିଶେଷଜ୍ଞମାନେ ଏବେ ଏହି ନୂତନ ଲହରର ନୂତନ ଲକ୍ଷଣ ସମ୍ପର୍କରେ ସତର୍କ କରାଇ ଦେଇଛନ୍ତି । କୋଭିଡ ଜିହ୍ୱା’ ନାମକ ଏହି ନୂତନ ତଥା ଅଦ୍ଭୁତ ଲକ୍ଷଣରେ ଆକ୍ରାନ୍ତମାନଙ୍କ ପାଟିରେ ଲାଳ ସୃଷ୍ଟି ହେଉନଥିବା ଚିନ୍ତାର ବିଷୟ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଦ୍ୱିତୀୟ ଲହର ସବୁ ବୟସର ଲୋକଙ୍କୁ ଆକ୍ରାନ୍ତ କରୁଥିବା ଜଣାପଡିଛି । ଦୀର୍ଘ ବର୍ଷେ ହେଲା ଲୋକେ କୋଭିଡର ବିଭିନ୍ନ ଲକ୍ଷଣ ସହ ପରିଚିତ ହୋଇ ଆସିଥିବା ବେଳେ ‘କୋଭିଡ ଜିହ୍ୱା’ ଏବେ ଛାନିଆଁ କରିପକାଇଛି । ଲଣ୍ଡନ କିଙ୍ଗସ କଲେଜର ଜେନେଟିକ ଏପିଡେମିଓଲୋଜି ବିଭାଗର ପ୍ରଫେସର ଟିମ ସ୍ପେକ୍ଟରଙ୍କ କହିବା ଅନୁଯାୟୀ, ସାଧାରଣତଃ ପାଟିରେ ସୃଷ୍ଟି ହେଉଥିବା ଲାଳ ହିଁ ମୁହଁକୁ କ୍ଷତିକାରକ ବୀଜାଣୁ କବଳରୁ ବଞ୍ଚାଇଥାଏ । ଏଥି ସହିତ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମାତ୍ର କୋଭିଡର ଏହି ନୂତନ ଲକ୍ଷଣ ଆକ୍ରାନ୍ତମାନଙ୍କୁ ସେଭଳି ବୀଜାଣୁ ସୁରକ୍ଷାରୁ ବଞ୍ଚିତ କରାଇବ । ସେହିପରି ଏକ ‘କୋଭିଡ ଜିହ୍ୱା’ ଲକ୍ଷଣ ଥିବା ଜଣେ ପୀଡ଼ିତ ଠିକରେ କଥାବାର୍ତ୍ତା କରିପାରିବନି କି ପାଟିରେ ଖାଦ୍ୟ ମଧ୍ୟ ଠିକରେ ଜୀର୍ଣ୍ଣ କରିପାରିବ ନାହିଁ । ଏହା ଦ୍ୱାରା ଶରୀର ଶିଘ୍ର ଦୁର୍ବଳ ହେଇଯିବା ସହିତ, ଶରୀରକୁ ଜଟିଳ କ୍ଷତି ପହଁଚାଇଥାଏ ।