ଅନ୍ଲାଇନରେ ପିଲା ପାଠ ପଢୁଛନ୍ତି କମ୍, ଗେମ୍ ଖେଳୁଛନ୍ତି ବେଶୀ

କୋଭିଡ କଟକଣା ଯୋଗୁଁ ପିଲାମାନେ ଅନଲାଇନ କ୍ଲାସ୍ କରୁଛନ୍ତି । ଏଥିପାଇଁ ଯେନେତେନ କରି ଅଭିଭାବକମାନେ ପିଲାଙ୍କ ପାଇଁ ସ୍ମାଟ ଫୋନ୍ ଆଣୁଛନ୍ତି । ହେଲେ କେତେକାଂଶ କ୍ଷେତ୍ରରେ ଏହାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି । ଅନଲାଇନ ଗେମ୍ ପ୍ରତି ପିଲାମାନେ ଅଭ୍ୟସ୍ତ ହେଉଛନ୍ତି । ଏଥିପାଇଁ ସେମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି । ତେଣୁ ପିଲାଙ୍କୁ ଅନଲାଇନ ଗେମ୍ ନିଶାରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । କେନ୍ଦ୍ର ସରକାର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜଷ୍ଟିସ୍ ଡି.ଏନ୍. ପଟେଲ ଓ ଜଷ୍ଟିସ୍ ଜ୍ୟୋତି ସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।
ମହାମାରୀ ସମୟରେ ଅନ୍ଲାଇନ୍ ପାଠପଢ଼ା ନାଁରେ ପିଲାମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳିଯିବା ଦ୍ବାରା ପାଠପଢ଼ା କମ୍ ଓ ଗେମ୍ ଖେଳିବା ଅଧିକ ହେଉଛି । ଯାହାକୁ ନିୟନ୍ତ୍ରଣ କରିବା ଅଭିଭାବକମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଅନ୍ଲାଇନ୍ ଗେମ୍ ଶିଶୁ (୬ରୁ ୧୦ ବର୍ଷ) ଏବଂ କିଶୋର (୧୧ରୁ ୧୯ ବର୍ଷ)ଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଅତ୍ୟନ୍ତ କୁପ୍ରଭାବ ପକାଉଛି। ଅନ୍ଲାଇନ୍ ଗେମ୍ର କୁପ୍ରଭାବରୁ ପିଲାମାନେ କ୍ରମଶଃ ଉଗ୍ର ଓ ଆକ୍ରମଣାତ୍ମକ ହୋଇପଡ଼ୁଛନ୍ତି। ଏ ନେଇ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କୁ ଉପଯୁକ୍ତ କାଉନ୍ସେ୍ଲିଂ କରାଯିବା ଲାଗି ଏକ ଜାତୀୟ ନୀତି ନିର୍ଦ୍ଧାରଣ ହେବା ଉଚିତ ବୋଲି ପିଟିସନରେ ଦର୍ଶାଯାଇଥିଲା।
ସୂଚନାଯୋଗ୍ୟ ଯେ, ଏ ପିଟିସନ ଦାଖଲ ହେବା ପରେ ଓଡ଼ିଶାରୁ ଏଭଳି ଦୁଃଖଦ ଘଟଣା ସାମନାକୁ ଆସିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ର ଫ୍ରି ଫାୟାର ଗେମ୍ ଖେଳି ମୃତ୍ୟୁବରଣ କରିଛି । କିଛି ଦିନ ହେବ ଛାତ୍ର ଜଣକ ଗେମ୍ ଖେଳି ମାନସିକ ସ୍ଥିତି ହରାଇଥିଲା । ତାଙ୍କୁ ପ୍ରଥମେ କେନ୍ଦୁଝର ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାର ମୃତ୍ୟୁ ଘଟିଛି । ଏ ଘଟଣା ପରେ ଅନଲାଇନ ଗେମ୍ ଏକ ଚିନ୍ତାଜନକ ବିଷୟ ପାଲଟିଛି ।
Powered by Froala Editor