ସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମରେ ବନ୍ଧୁକ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ
ଗୋପାଳପୁର : ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା। ଭାଇରାଲ୍ ଭିଡିଓରେ ବ୍ୟବହୃତ ବନ୍ଧୁକକୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ବାଘୁଆ ଡ୍ୟାମ୍ ଭିତରେ ଅଗ୍ନିଶମଟିମ୍ ବନ୍ଧୁକ ଖୋଜାଖୋଜି ଜାରି ରଖିଛି। କ୍ରାଇମସିନ୍ ରିକ୍ରିଏସନ୍ ବେଳେ ମାନିଛନ୍ତି ଅଭିଯୁକ୍ତ ନାରାୟଣ ଓ ଆଶିଷ। ସେପଟେ ପୁଲିସ୍ ଏହି ଘଟଣାରେ ଗିରଫ କରିଥିବା ୯ ଜଣଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି। ରିମାଣ୍ଡରେ ଥିବା କାଳୁ ପ୍ରଧାନ ଏବଂ ସୂର୍ଯ୍ୟପ୍ରତାପ ଙ୍କୁ ନେଇ ପୁଲିସ୍ ପ୍ରଥମେ ଭାବି ନାରାୟଣପୁର ଗାଁର ଭଲିବଲ କୋର୍ଟ ନିକଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା। ସେଠାରେ ସେମାନେ କିଭଳି ସୁଧୀରଙ୍କ ପିଛା କରିବା ସହିତ ତାଙ୍କୁ ବୋଲେରୋ ପଛ ଗେଟ ଖୋଲି କିଭଳି ଅପହରଣ କରିଥିଲେ ତାହାର ଡେମୋ ଦେଖାଇଥିଲେ।
ଏହାପରେ ଅଭିଯୁକ୍ତ ଆଶିଷ ମହାପାତ୍ର ସୂର୍ଯ୍ୟପ୍ରତାପ ସିଂ ଏବଂ ନାରାୟଣ ପ୍ରଧାନଙ୍କୁ ବୁଗୁଡ଼ା ରାମପାଦ ନିକଟ କିରିଆମ୍ବା ଜଙ୍ଗଲକୁ ନେଇ ପୁଲିସ୍ କ୍ରାଇମ ସିନ ରିକ୍ରିଏସନ କରାଇଥିଲା। ଘଟଣାର ଗୋଟିଏ ଦିନ ପୂର୍ବରୁ ସ୍ଥାନୀୟ ଅଂଚଳର ଆଶିଷ ଏବଂ ନାରାୟଣ ସ୍ଥାନ ଚି଼ହ୍ନଟ କରିଥିବା ଜଣା ପଡିଥିଲା। ଅପହରଣ ଦିନ ବିଳମ୍ବିତ ରାତିରେ ସୁଧୀରକୁ ଧରି ନେଇ ରାମପାଦ ଜଙ୍ଗଲରେ ପହଞ୍ଚିଥିଲେ ଅପହରଣକାରୀ। ସେଠାରେ ସୁଧୀରଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା। ଫଳରେ ସୁଧୀରଙ୍କ ମୃତ୍ୟୁ ଘଟିଥିଲା ବୋଲି ସିନ ରିକ୍ରିଏସନରେ କହିଛନ୍ତି ୩ ଅଭିଯୁକ୍ତ।
ଏହି ଘଟଣା ପରେ ଅଭିଯୁକ୍ତ ମାନେ ସୁଧୀରଙ୍କ ମୃତ ଶରୀରକୁ ନେଇ ଜଗନ୍ନାଥପ୍ରସାଦ-ସୋରଡ଼ା ରାସ୍ତା ଦେଇ ଗାଜଲବାଡ଼ି ଜଙ୍ଗଲରେ ଫୋଫାଡ଼ି ଦେଇ ଦାରିଙ୍ଗବାଡି ଆଡକୁ ଚାଲି ଯାଇଥିଲେ। ଏପଟେ ରାମପାଦ ଜଙ୍ଗଲରୁ ଆଶିଷ ଏବଂ ନାରାୟଣ ଫେରାର ହୋଇଯାଇଥିଲେ । ସେମାନେ ଧରିଥିବା ବନ୍ଧୁକକୁ ବୁଗୁଡ଼ା ବାଘୁଆ ଜଳଭଣ୍ଡାରରେ ଫୋଫାଡ଼ି ଦେଇ ଚାଲିଯାଇଥିଲେ।
Powered by Froala Editor