ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା
ବ୍ରହ୍ମପୁର: ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀରକୁମାର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବୁଧବାର ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ରସିପଙ୍କାଳ ପୋଲ ତଳୁ ବ୍ୟବସାୟୀଙ୍କ ଗଳିତ ମୃତthila ଦେହ ଜବତ ହୋଇଛି। ଏହି ଘଟଣା ବ୍ରହ୍ମପୁର ଓ ଗଞ୍ଜାମ ପୁଲିସର ବିଫଳତାକୁ ପଦାରେ ପକାଇ ଦେଇଛି। ସପ୍ତାହ ତଳେ ସୁଧୀରଙ୍କୁ ଅପହରଣ କରି ନେବା ପରେ ପରିବାର ଲୋକଙ୍କୁ ଅପହରଣକାରୀ ଫୋନ କରି ୨ କୋଟି ଦାବି କରିଥିଲେ। ଏପରିକି ସୁଧୀରଙ୍କୁ ମାଡ ମାରିବାର ଭିଡିଓ ମଧ୍ୟ ପଠାଇଥିଲେ । ସମସ୍ତ ସୂଚନା ପ୍ରଦାନ ସହ ସହଯୋଗ କରାଯିବା ସତ୍ତ୍ବେ ସୁଧୀରଙ୍କୁ ପୁଲିସ ଉଦ୍ଧାର କରିପାରି ନଥିଲା।
ପ୍ରକାଶଥାଉକି, ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ମୁଖ୍ୟ ରାସ୍ତାରେ ରହୁଥିବା ପ୍ଲଟ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟା ସାଢେ ୬ଟା ବେଳେ ଏକ ବୋଲେରୋ ଗାଡ଼ିରେ କିଛି ଅଜଣା ବ୍ୟକ୍ତି ମାଣ୍ଡିଆପଲ୍ଲୀ ରାସ୍ତା ପ୍ରେମ ଅଫିସ ନିକଟରୁ ଚଳଚ୍ଚିତ୍ର ଢାଞ୍ଚାରେ ଅପହରଣ କରି ନେଇଯାଇଥିଲେ। ସେହିଦିନ ରାତିରେ ସୁଧୀରଙ୍କ ପତ୍ନୀଙ୍କ ମୋବାଇଲକୁ ଅପହରଣକାରୀମାନେ ଫୋନ କରି ୨ କୋଟି ଟଙ୍କା ମାଗିବା ସହ ଘରେ କେତେ ପରିମାଣର ସୁନା ଅଳଙ୍କାର ରହିଛି ଭିଡ଼ିଓ କଲ୍ରେ ଦେଖିଥିଲେ। ଏହାପରେ ଅପହରଣକାରୀମାନେ ସୁଧୀରକୁ ମାଡ ମାରୁଥିବାର ଏକ ଭିଡିଓ ପଠାଇ ତୁରନ୍ତ ଦାବି ମୁତାବକ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ବ୍ୟବସାୟୀଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲାର ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ୮ଟି ଦଳ ଗଠନ କରାଯାଇଥିଲା। ଅପହରଣର ପରଦିନ ହିଁ ପୁଲିସ ପକ୍ଷରୁ ପରିବାର ଲୋକଙ୍କ ଜରିଆରେ ଦାବି ମୁତାବକ ଟଙ୍କା ଦେବା ଆଳରେ ଅପହରଣକାରୀଙ୍କୁ କାବୁ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ପୁଲିସ ରଣନୀତି ଫେଲ ମାରିଥିଲା। ଏହାପରେ ଅପହରଣକାରୀମାନେ ସୁଧୀରଙ୍କୁ ହତ୍ୟା କରି ରସିପଙ୍କାଳ ପୋଲ ତଳେ ଫିଙ୍ଗି ଦେଇଥିବା କୁହାଯାଉଛି। ପୋଲ ତଳେ ଏକ ଗଳିତ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ଆଜି ସୋରଡା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ଦୀନବନ୍ଧୁ ପିଙ୍ଗୁଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏପଟେ ସୁଧୀରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ତାଙ୍କ ବଡ଼ଭାଇଙ୍କ ପୁଅ ଓ ଝିଅଙ୍କ ହାତ ରହିଥିବା ଅଭିଯୋଗ ହୋଇଛି।
Powered by Froala Editor