ବାଲେଶ୍ୱର ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିକ୍ଷୟିତ୍ରୀ
ବାରିପଦା: ଜନଗଣନା କାର୍ଯ୍ୟରେ ନିୟୋଜିତ ମୟୂରଭଞ୍ଜ ଜିଲା, ବାରିପଦା ବ୍ଲକ ଚନ୍ଦନପୁର କ୍ଲଷ୍ଟର ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଗତ ୧୮ ତାରିଖରୁ ନିଖୋଜ ଥିଲେ। ସେ ଜନଗଣନା କାର୍ଯ୍ୟରେ ଢେଙ୍କିନେଞ୍ଜିଆ ଗ୍ରାମକୁ ଯାଇ ଆଉ ବସାଘରକୁ ଫେରି ନ ଥିଲେ। ନିଖୋଜ ଶିକ୍ଷୟିତ୍ରୀଙ୍କୁ ୩ ଦିନ ପରେ ବାଲେଶ୍ୱର ରେଳ ଷ୍ଟେସନରୁ ଅପରାହ୍ଣ ସାଢ଼େ ୫ଟା ସମୟରେ ବାରିପଦା ସଦର ଥାନା ପୁଲିସ ଉଦ୍ଧାର କରିଥିବା ବାରିପଦା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଉଦ୍ଧାର ଶିକ୍ଷୟିତ୍ରୀ ଜଣକ ଏବେ ପୁଲିସ ହେପାଜତରେ ରହିଛନ୍ତି। କେଉଁ କାରଣ ତଥା ପରିସ୍ଥିତି ଯୋଗୁଁ ସେ ଜନଗଣନା କାର୍ଯ୍ୟ ଛାଡ଼ି ଚାଲିଯାଇଥିଲେ, ସେ ସମ୍ପର୍କରେ ପୁଲିସ ପକ୍ଷରୁ ପଚରାଉଚରା ଚାଲିଛି।
ସିସିଟିଭି ଫୁଟେଜରୁ ଜଣାଯାଇଛି ଯେ, ଶିକ୍ଷୟିତ୍ରୀ ଜଣକ ଏକୁଟିଆ ଗତ ୧୮ ତାରିଖ ଶନିବାର ପୂର୍ବାହ୍ନ ୧୧ଟା ୩୨ ସମୟରେ ବାରିପଦା ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଭଞ୍ଜପୁର-ବାଲେଶ୍ୱର ଡିଏମ୍ୟୁ ଟ୍ରେନର ୧୧ ନମ୍ବର ବଗିରେ ବସି ସେ ଯାଇଥିଲେ। ଏ ସମ୍ପର୍କିତ ସିସିଟିଭି ଫୁଟେଜ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ଥାନୀୟ ପୁଲିସ ପକ୍ଷରୁ ପ୍ରସାରଣ ମଧ୍ୟ କରାଯାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ ଉକ୍ତ ଟ୍ରେନରୁ ବାଲେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିବା ପରେ ସେଠାରେ ଖୋଜାଖୋଜି କରାଯାଇଥିଲା। ସୂଚନା ଅନୁସାରେ, ବାଲେଶ୍ୱର ରେଳ ଷ୍ଟେସନରେ ସେ ୩ ଦିନ ଧରି ବସିରହିଥିଲେ। ଶିକ୍ଷୟିତ୍ରୀଙ୍କୁ କେହି ଅପହରଣ କରି ନ ଥିବା କିମ୍ବା କିଛି ଅଘଟଣ ଘଟି ନ ଥିବା ସ୍ପଷ୍ଟ ହୋଇଛି।
ତେବେ ହଠାତ କାର୍ଯ୍ୟକ୍ଷେତ୍ରରୁ ଉଭାନ ହୋଇଯିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ପୁଲିସର ଜେରା ପରେ ସଠିକ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।
Powered by Froala Editor