ଆଜି ପବିତ୍ର ଅକ୍ଷୟ ତୃତୀୟା, ରଥ ନିର୍ମାଣ କାର୍ଯ୍ୟର ହେବ ଅନୁକୂଳ
ପୁରୀ: ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ। ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଆୟମାରମ୍ଭ ହୋଇଥାଏ। ଶ୍ରୀକ୍ଷେତ୍ର ତଥା ଆଖପାଖ ଅଞ୍ଚଳରେ ଘଡ଼ି ପଥୁଲି ପୂଜା କରାଯାଏ। ଅକ୍ଷୟ ତୃତୀୟା ଏକ ଶୁଭଦିନ ହୋଇଥିବାରୁ ଚାଷୀମାନେ ସେମାନଙ୍କ ଚାଷ ଜମିରେ ଅଖିମୁଠି ଅନୁକୂଳ କରିବାର ବିଧି ରହିଛି।
ରଥ ସଂହିତା ଅନୁଯାୟୀ, ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ। ଉକ୍ତ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ସକାଳଧୂପ ପରେ ଯାତ୍ରାଙ୍ଗୀ ମହାସ୍ନାନ ଅନୁଷ୍ଠିତ ହୋଇଥାଏ। ପରେ ପୂର୍ବଦିନରୁ ଅଧିବାସ ହୋଇ ରହିଥିବା ପ୍ରାୟ ୭ କେଜି ଚନ୍ଦନକୁ ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର, ମୁଦିରସ୍ଥ ଏବଂ ୩ ଜଣ ପାଳିଆ ପୁଷ୍ପାଳକ ଭୋଗମଣ୍ଡପ ଘରଠାରୁ ବେଢ଼ାକୁ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ତିନିଘେରା ପରିକ୍ରମା କରାଇବା ପରେ ସର୍ବାଙ୍ଗ ଚନ୍ଦନଲାଗି ହେବ। ଅପରପକ୍ଷରେ ରଥକାର୍ଯ୍ୟ ଅନୁକୂଳ ନିମନ୍ତେ ୩ ବାଡ଼ରୁ ୩ ପୂଜାପଣ୍ଡା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟ ରଥଖଳାକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧିବିଧାନ ଅନୁଯାୟୀ ରଖାଯାଇଥାଏ। ପରେ ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ।
ଅକ୍ଷୟ ତୃତୀୟା କୃଷକଙ୍କ ନିମନ୍ତେ ଏକ ଶୁଭଦିନ। ଏହିଦିନ ଚାଷୀଭାଇମାନେ ସେମାନଙ୍କ କ୍ଷେତରେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଚାଷୀ ଜମିରେ ପୂଜାଚ୍ଚର୍ନା କରିବା ପରେ ଅଖିମୁଠି ଅନୁକୂଳ କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି ଦିନ ଚାଷକାର୍ଯ୍ୟ ଅନୁକୂଳ କଲେ ଫସଲ ଭଲ ହୋଇଥାଏ ବୋଲି ଚାଷୀଙ୍କ ମଧ୍ୟରେ ବିଶ୍ୱାସ ରହିଛି।
Powered by Froala Editor