ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରକୁ ବୋମା ଧମକ, ସୁରକ୍ଷା ଚାହୁଁଛ ଯଦି ୫୦ ଲକ୍ଷ ଟଙ୍କା ଦିଅ
ସାକ୍ଷିଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ କାଦୁଆ ପଞ୍ଚାୟତ ବରାଳ ଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ମନ୍ଦିରର ସୁରକ୍ଷା ନିମନ୍ତେ ଫୋନ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ନ ଦେଲେ ପରିଣତି ଭୋଗିବ ବୋଲି ଚେତାଇ ଦିଆଯାଇଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ସେବାୟତ ସତ୍ୟବ୍ରତ ମହାପାତ୍ରଙ୍କ ମୋବାଇଲକୁ ଏକ ଫୋନ କଲ୍ ଆସିଥିଲା। ବ୍ୟକ୍ତି ଜଣକ ସେବାୟତ ଶ୍ରୀ ମହାପାତ୍ରଙ୍କୁ କହିଥିଲେ, ଆସନ୍ତା ସୋମବାର ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦିଆଯିବ। ଠାକୁରଙ୍କୁ ନଷ୍ଟ କରି ଦିଆଯିବ। ଯଦି ସୁରକ୍ଷା ଚାହୁଁଛ ୫୦ ଲକ୍ଷ ଟଙ୍କା ଦିଅ। ହ୍ବାଟ୍ସଆପ୍କୁ ମେସେଜ ପଠାଇଲି। ଫୋନ ପେ ନମ୍ବରରେ ତୁରନ୍ତ ଟଙ୍କା ପଠାଅ।
ପୁଣି ରାତି ୧୦ଟା ୩୦ରେ ଦମୟନ୍ତୀ ପାଣି, ଅନ୍ତେଇ ପାଇଲୋ, କେନ୍ଦ୍ରାପଡ଼ା ଲେଖାଥିବା ସେହି ନମ୍ବରରୁ ସେବାୟତ ଶ୍ରୀ ମହାପାତ୍ରଙ୍କ ନମ୍ବରକୁ ଏକ ମେସେଜ ଆସିଥିଲା ଯେ, ଯଦି ମନ୍ଦିର ଓ ତୁମର ସୁରକ୍ଷା ଚାହୁଁଛ ତେବେ ଏହି ନମ୍ବରରେ ଫୋନ ପେ ମାଧ୍ୟମରେ ଅତିଶୀଘ୍ର ୫୦ ଲକ୍ଷ ଟଙ୍କା ପଠାଅ। ନହେଲେ ଆସନ୍ତା ସୋମବାର ବୋମା ପକାଇ ମନ୍ଦିର ଓ ଠାକୁରଙ୍କୁ ଉଡ଼ାଇ ଦିଆଯିବ।
ଏ ନେଇ ଶ୍ରୀ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଳିକ କହିଛନ୍ତି, ଧମକପୂର୍ଣ୍ଣ ଫୋନ କଲ୍ ଓ ମେସେଜ କରିଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ାର ପ୍ରତୀକ ମିଶ୍ର। ପୂର୍ବରୁ ସେ ଏହିପରି ମିଥ୍ୟା ଧମକପୂର୍ଣ୍ଣ ଫୋନ କରିବା ସହ ମେସେଜ ପଠାଇ ଗିରଫ ହୋଇଛନ୍ତି। ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ। ତେବେ ଏହି ଫୋନ କଲ୍ ପରେ ମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Powered by Froala Editor