ରାସ୍ତା ଉପରେ ନିଆଁ ଲଗାଇଦେଲେ ଗୋରୁ ବୋଝେଇ ଗାଡି ସମେତ ବାଇକ
ପିପିିଲି: ଗୋରୁ ଚୋରାଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଗାଡି ସମେତ ଏକ ବାଇକ୍କୁ ଜାତୀୟ ରାଜପଥ ଉପରେ ଲୋକେ ଜାଳି ଦେଇଛନ୍ତି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ତେଇସିପୁର ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାଇ, ସତ୍ୟବାଦୀ ଥାନା ଅଞ୍ଚଳରୁ ଶୁକ୍ରବାର ରାତିରେ ଗୋଟିଏ ବୋଲେରୋ ପିକ୍ଅପ୍ ଗାଡି ଓ ଅନ୍ୟ ଏକ ଟାଟା ଏସି ଗାଡିରେ ଗୋରୁ ଚୋରା ଚାଲାଣ କରାଯାଉଥିଲା। ଅନ୍ୟ ଏକ ବାଇକ୍ ରେ ଦୁଇଜଣ ଯୁବକ ଉକ୍ତ ଗୋରୁ ବୋଝେଇ ଗାଡିକୁ ଏସ୍କଟ୍ ଦେଇ ନେଉଥିଲେ। ରାତି ପ୍ରାୟ ୩ଟା ସମୟରେ ଉକ୍ତ ଗୋରୁ ବୋଝେଇ ଗାଡି ଜାତୀୟ ରାଜପଥ ଉପରେ ଯାଉଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯୁବକ ଏକାଧିକ ବାଇକ୍ ରେ ଆସି ଉକ୍ତ ଗାଡି ଗୁଡିକୁ ତେଇସିପୁର ବଜାର ନିକଟରେ ଅଟକାଇଥିଲେ। ଗାଡିରୁ ଗୋରୁଙ୍କୁ କାଢି ବାହାରେ ଛାଡିଦେବା ପରେ ସେମାନେ ଉକ୍ତ ଗାଡି ଦୁଇଟିକୁ ରାସ୍ତା ଉପରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ଗୋରୁ ବୋଝେଇ ଗାଡିକୁ ଏସ୍କଟ୍ କରି ନେଉଥିବା ବାଇକ୍କୁ ମଧ୍ୟ ସେମାନେ ପୋଡି ଦେଇଥିଲେ। ଉକ୍ତ ଗାଡିରେ ଥିବା ଚାଳକଙ୍କ ସମେତ ବାଇକ୍ ଚାଳକ ଓ ଆରୋହୀଙ୍କୁ ସେମାନେ ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ଓ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଲିଭାଇଥିଲେ।
Powered by Froala Editor