୧୦ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ, ପରେ ବଢିବ ତାତି
ଭୁବନେଶ୍ବର: ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ପବନ ବି ବହିଛି। ଫଳରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀକୁ ଖସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ତେଣୁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଅର୍ଥାତ ୧୦ତାରିଖ ପରଠାରୁ ସାରା ରାଜ୍ୟରେ ତାତି ବଢ଼ିପାରେ।
ଫୁଲବାଣୀରେ ସର୍ବାଧିକ ବର୍ଷା ୪୭ ମି.ମି. ହୋଇଥିବା ବେଳେ ଭଦ୍ରକରେ ୪୧, ଯାଜପୁରରେ ୬.୨, ବାଲେଶ୍ବରରେ ୩୩.୫, ପାରଳାଖେମୁଣ୍ଡିରେ ୨୫.୬, ନୟାଗଡ଼ରେ ୧୫, ବାରିପଦାରେ ୧୧, ଅନୁଗୋଳରେ ୪ ଏବଂ ସୁବର୍ଣ୍ଣପୁରରେ ୨ମି.ମି. ବର୍ଷା ହୋଇଛି। ଚାନ୍ଦବାଲି ଏବଂ ଭୁବନେଶ୍ବରରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବାରୁ ଦିନ ତାପମାତ୍ରା କମିଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବାବେଳେ ନୂଆପଡ଼ାରେ ୩୭.୨, ଟିଟିଲାଗଡ଼ରେ ୩୭.୭, ଭବାନୀପାଟଣାରେ ୩୭.୫, ଭୁବନେଶ୍ବରରେ ୩୪.୩, କଟକରେ ୩୩.୬ ଡିଗ୍ରୀ ରହିଛି।
Powered by Froala Editor