ପରିଚୟପତ୍ର ଦେଖାଇଲେ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ୫ କେଜି ଏଲପିଜି
ଭୁବନେଶ୍ୱର: ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ। ସେହିପରି ଇ-କେଓ୍ବାସି ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟକଣା ଲାଗିଛି।
ସେପଟେ ଗତକାଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଏଣିକି ଆଉ ଖୋଲା ବଜାରରେ ୫କେଜି ଗ୍ୟାସ୍ ଟାଙ୍କି ମିଳିବ ନାହିଁ। ଖୋଲାରେ ଗ୍ୟାସ୍ ବିକ୍ରି ହୋଇପାରିବ ନାହିଁ। ଖୋଲାରେ ଗ୍ୟାସ୍ ମିଳୁଥିବାରୁ ବ୍ୟାପକ କଳାବଜାର ହେଉଛି । ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ୍ ଭର୍ତ୍ତି କରାଯାଇ ପାରିବ ନାହିଁ। କେବଳ ଏଜେନ୍ସି ଏବଂ ଲାଇସେନ୍ସପ୍ରାପ୍ତ ଦୋକାନୀ ହିଁ ଗ୍ୟାସ୍ ବିକ୍ରି କରିବେ। ପେଟ୍ରୋଲ ଓ ଡିଜେଲ କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ଅଛି, ଯାହା କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି ତାକୁ ଆମେ ମାନିବୁ। ଅନ୍ୟପଟେ ରିଆତି ପାଇବା ପାଇଁ ଗ୍ୟାସ୍ ଉପଭୋକ୍ତାଙ୍କୁ ଇ-କେୱାଇସି କରିବାକୁ ପଡ଼ିବ। ଇ-କେୱାଇସି ଥିଲେ ହିଁ ଗ୍ୟାସ୍ ମିଳିବ। ବିନା ଇ-କେୱାଇସିରେ ଗ୍ୟାସ ଟାଙ୍କି ମିଳିବନି। ଏନେଇ ଏଜେନ୍ସିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ରିଆତି ପାଇବାକୁ ଯୋଗ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଇ-କେୱାଇସି ପଦକ୍ଷେପ ନିଆଯାଇଛି।
Powered by Froala Editor