ଚୌଦ୍ବାର ଜେଲ୍ରୁ ଚମ୍ପଟ ମାରିଥିବା ରାଜା ସାହାଣୀ ଏବେ ସ୍ବତନ୍ତ୍ର ସେଲ୍ରେ
କଟକ: ଚୌଦ୍ବାର ଜେଲ୍ରୁ ଚମ୍ପଟ ମାରିଥିବା ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ (୩୯)କୁ କମିସନରେଟ ପୁଲିସ ଗୁରୁବାର ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ବର ଅଣାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ଣରେ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟାରେ ତାକୁ ଚୌଦ୍ବାର ମଣ୍ଡଳ କାରାଗାର ପଠାଇ ଦିଆଯାଇଛି। ଜେଲ୍ରେ ରାଜାକୁ ଏକ ସ୍ବତନ୍ତ୍ର ସେଲ୍ରେ ରଖାଯାଇଛି। ସେଠାରେ କ୍ୟାମେରା ସହ ସେନ୍ସର ଲଗାଯାଇଛି। ପାଳି କରି ଜଗିବା ପାଇଁ ୩ ଜଣ ଓ ତନଖି ପାଇଁ ଅଧିକ ୨ ଜଣଙ୍କୁ ମୁତୟନ କରାଯାଇଛି। ରାଜା ପୂର୍ବରୁ ଏଠାରେ ରହିଥିବାରୁ ଜେଲ୍ର ଭୌଗୋଳିକ ସ୍ଥିତି ତାକୁ ବେଶ୍ ଜଣା। ତଦନ୍ତରେ ସହଯୋଗ ଓ ଅଧିକ ପଚରାଉଚରା ପାଇଁ ପୁଲିସ ପକ୍ଷରୁ ଅଦାଲତରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ଜଣାପଡ଼ିଛି। ଅନ୍ୟତମ ଅଭିଯୁକ୍ତ ମଧୁକାନ୍ତକୁ ଜେରା ବେଳେ ପୁଲିସ ଅନେକ ତଥ୍ୟ ହାସଲ କରିଥିଲା। ତେବେ ରାଜା ସମ୍ପର୍କରେ ସେ ମୁହଁ ଖୋଲିନଥିଲା। ଏବେ ରାଜା ଗିରଫ ହୋଇଥିବାରୁ ସେମାନଙ୍କର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ ଆଶା ରଖିଛି।
ପ୍ରକାଶଥାଉ କି, ଚୌଦ୍ବାର ଜେଲ୍ରୁ ରାଜା ଫେରାର ହେବା ପରେ କର୍ଣ୍ଣାଟକରେ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟିଥିଲା। ତା’ର ସହଯୋଗୀମାନଙ୍କ ସହ ଏହି ଲୁଟ କରିଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲା। ଅନ୍ୟତମ ସହଯୋଗୀ ମଧୁକାନ୍ତ ରାଣା ଗିରଫ ହେବା ପରେ ରାଜା ଜାଣି ନେଇଥିଲା ପୁଲିସ ତା ପଛରେ ପଡ଼ିଛି। ସେଥିପାଇଁ ସେ କିଛିଦିନ ଅନ୍ତରରେ ସ୍ଥାନ ପରିବର୍ତ୍ତନ କରୁଥିଲା। ଉତ୍ତର ପ୍ରଦେଶ, ଦିଲ୍ଲୀ, ମୁମ୍ବଇ, ବିହାର, ଝାଡ଼ଖଣ୍ଡରେ ସେ ଅଧିକ ଦିନ ରହୁଥିଲା। କିଛିଦିନ ହେବ ସେ ଉତ୍ତରାଖଣ୍ଡରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଉତ୍ତରାଖଣ୍ଡ ପୁଲିସ ସହଯୋଗରେ ଋଷିକେଶରୁ ତାକୁ ଗିରଫ କରାଯାଇଥିଲା। ରାଜା ସାହାଣୀ ଗ୍ୟାଙ୍ଗରେ ୨୦୦୦ରୁ ଊର୍ଦ୍ଧ୍ବ ସହଯୋଗୀ ଥିବାବେଳେ ଦେଶର ମୋଷ୍ଟ ୱାଣ୍ଟେଡ ଡକାୟତ ଭାବରେ ବିଭିନ୍ନ ରାଜ୍ୟର ପୁଲିସ ତାକୁ ଖୋଜୁଥିଲା। ରାଜା ଓ ମଧୁକାନ୍ତ ଗ୍ୟାଙ୍ଗର ମୁଖ୍ୟ ରହୁଛି ନେପାଳରେ। ସେଠାରୁ ରହି ସେ ଅପରାଧିକ କାର୍ଯ୍ୟ ପରିଚାଳନା କରେ।
ସୂଚନା ଥାଉକି, ୨୦୨୫ ଜାନୁଆରୀ ୪ରେ ପାଣିକୋଇଲି ଛକରେ ଏକ ଅଳଙ୍କାର ଦୋକାନରୁ ଲୁଟ ଓ ହତ୍ୟା ଘଟଣାରେ ଯାଜପୁର ପୁଲିସ ବିହାର ସାରନ ଜିଲାର ସିଂହ ଓରଫ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଗିରଫ କରିଥିଲା। ପରେ ଉଭୟଙ୍କୁ ଯାଜପୁରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୫ ଅକ୍ଟୋବର ୩ ତାରିଖ ଭୋର ସମୟରେ ଉଭୟ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ। ସୁଉଚ୍ଚ ପାଚେରିରେ କପଡ଼ାକୁ ବାନ୍ଧି ଉଭୟ ଖସି ପଳାଇଥିଲେ। ୪ମାସ ପରେ ଗତ ଫେବୃଆରୀ ୧୩ ତାରିଖରେ କମସିନରେଟ ପୁଲିସ ମଧୁକାନ୍ତକୁ ବୃନ୍ଦାବନର ଏକ ମଠରୁ ଗିରଫ କରିଥିଲା। ମଧୁକାନ୍ତ ଏବେ ଝାରପଡ଼ା ଜେଲରେ ରହିଛି। ଅନ୍ୟତମ ଅଭିଯୁକ୍ତ ରାଜାକୁ କମିସନରେଟ ପୁଲିସ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା।
Powered by Froala Editor