ଶୀତଳା ମାତା ମନ୍ଦିର ଦଳାଚକଟାରେ ୮ ମୃତ
ବିହାରର ନାଳନ୍ଦା ଜିଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ମଙ୍ଗଳବାର ବଡ ଅଘଟଣ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ ଭକ୍ତଙ୍କ ଜୀବନ ଯାଇଥିବା ବେଳେ ଛଅ ଜଣରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି, ମନ୍ଦିର ପରିସରକୁ ଖାଲି କରାଯାଉଛି। ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ଏକ ମେଳା ଏବଂ ପୂଜା-ଦର୍ଶନ ସମୟରେ ଦଳାଚକଟା ହେବା ପରେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ ଚୈତ୍ର ମାସର ଶେଷ ମଙ୍ଗଳବାର। ଏହି ଅବସରରେ ଶୀତଳା ମାତା ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପୂଜା ସମୟରେ ହଠାତ୍ ଝଗଡ଼ା ଆରମ୍ଭ ହୋଇଥିଲା, ଯାହା କିଛି ମୁହୂର୍ତ୍ତ ମଧ୍ୟରେ ଦଳାଚକଟାରେ ପରିଣତ ହୋଇଥିଲା। ଲୋକମାନେ ପରସ୍ପର ଉପରେ ପଡ଼ିବାକୁ ଲାଗିଲେ ଏବଂ ସମସ୍ତେ ରାସ୍ତା ଖୋଜିବା ପାଇଁ ଦୌଡ଼ିବାରୁ ବିଶୃଙ୍ଖଳା ସୃଷ୍ଟି ହେଲା। ଏହି ଅଘଟଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
Powered by Froala Editor