ଲୋକଙ୍କୁ ଭିକ ମାଗିବାକୁ କୋର୍ଟ ବାରଣ କରିପାରିବ ନାହିଁ
ଲୋକଙ୍କୁ ଭିକ ମାଗିବାକୁ କୋର୍ଟ ବାରଣ କରିପାରିବ ନାହିଁ। ଯେତେବେଳେ ଦାରିଦ୍ର୍ୟ ସେମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରେ, କୋର୍ଟ ଏହା ଉପରେ ଏକ ସଂଭ୍ରାନ୍ତବାଦୀ ଚିନ୍ତାଧାରା ଗ୍ରହଣ କରିପାରିବେ ନାହିଁ। କରୋନା ମହାମାରୀକୁ ନଜରରେ ରଖି ଭିକାରୀ ଏବଂ ବାସହରାଙ୍କୁ ଥଇଥାନ ଏବଂ ଟିକାକରଣ କରିବା ନେଇ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏହି ଶୁଣାଣି ହୋଇଛି। ଏହି ସମୟରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାସ୍ତା ଉପରେ ଭିକାରୀଙ୍କୁ ହଟାଇବା ଦିଗରେ ସମ୍ଭ୍ରାନ୍ତ ବର୍ଗଙ୍କ ଦୃଷ୍ଟିକୋଣରୁ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି । କାରଣ ଏହା ଏକ ସାମାଜିକ ଏବଂ ଆର୍ଥିକ ସମସ୍ୟା ବୋଲି ମଧ୍ୟ କହିଛନ୍ତି।
ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଏମଆର ଶାହା କହିଛନ୍ତି, ଯଦି ଜଣେ ଦାରିଦ୍ର୍ୟର ଶିକାର ନ ହୁଏ ତେବେ ସେମାନେ ଭିକ ମାଗିବାକୁ ଚାହିଁବେ ନାହିଁ। କୋର୍ଟ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଶିକ୍ଷା ଏବଂ ରୋଜଗାର ଅଭାବରୁ ଲୋକମାନେ ସାଧାରଣତଃ କିଛି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରନ୍ତି। କିନ୍ତୁ ସେମାନେ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି । ଏମିତି ଭାବେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ବେଞ୍ଚ ଆହୁରି କହିଛନ୍ତି, ‘ଆପଣଙ୍କ ପ୍ରଥମ ପ୍ରାର୍ଥନା ଲୋକଙ୍କୁ ରାସ୍ତା ଉପରକୁ ଆସିବା ଉପରେ ରୋକ ଲଗାଇବା । ଲୋକେ ସଡ଼କରେ ଭିକ କାହିଁକି ମାଗୁଛନ୍ତି ? ଏହା ଗରିବୀ ଯୋଗୁଁ ହେଉଛି। ସୁପ୍ରିମକୋର୍ଟ ଭାବରେ ଆମେ ଏହାକୁ ଏଲିଟ୍ (ସମ୍ଭ୍ରାନ୍ତ) ଦୃଷ୍ଟିକୋଣରୁ ବିଚାର କରିବୁ ନାହିଁ। ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ।’
Powered by Froala Editor