କୋଭିଡ ପ୍ରୋଟୋକଲ ଭାଙ୍ଗିଲା: ଫାଟକ ଠେଲି ପଶିଲେ ଲୋକ, ମହାଳେଶ୍ୱର ମନ୍ଦିରରେ ଦଳାଚକଟା
ଶ୍ରାବଣ ପ୍ରଥମ ସୋମବାରରେ ମଧ୍ୟପ୍ରଦେଶ ଉଜୈନର ମହାଳେଶ୍ୱର ମନ୍ଦିରରେ ଘଟିଛି ଅଘଟଣ । ଲୋକମାନେ କୋଭିଡ ପ୍ରୋଟୋକଲ ଭାଙ୍ଗିଥିବାରୁ ଦଳାଚକଟା ହୋଇଛି । ଯେଉଁଥିରେ ମହିଳା ଓ ଶିଶୁ ଆହତ ହୋଇଛନ୍ତି ।
ସୂଚନାନୁସାରେ, ମନ୍ଦିରକୁ ଗତ ମାସରେ ମଧ୍ୟ ଖୋଲା ଯାଇଥିଲା। ତେବେ ସେହିମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା ଯେଉଁମାନେ ଟିକାର ଦୁଇଟି ଡୋଜ ନେଇଛନ୍ତି। ନଚେତ ୪୮ ଘଣ୍ଟା ମଧ୍ୟରେ ଯେଉଁମାନଙ୍କ ଆର୍ଟିପିସିଆର୍ ରିପୋର୍ଟ ନେଗେଟିଭ ଆସିଥିବ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା।
ଶ୍ରାବଣର ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସକାଳ ୬ରୁ ରାତି ୮ଟା ମଧ୍ୟରେ ୩,୫୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଥିଲା। ଏଥିପାଇଁ ପ୍ରତ୍ୟେକ ଦୁଇ ଘଣ୍ଟାରେ ୭ଟି ସ୍ଲଟ ତିଆରି କରାଯାଇଥିଲା। ଏହି ଦୁଇ ଘଣ୍ଟା ମଧ୍ୟରେ କେବଳ ୫୦୦ ଲୋକ ମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ଭିଭିଆଇପିଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ଅନେକ ଲୋକ ମନ୍ଦିରକୁ ପଶିଯିବା ଫଳରେ ଭିଡ ବଢିଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ଅଘଟଣର ଏକ ଭିଡିଓରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଅନେକ ଲୋକ ମନ୍ଦିରର ଫାଟକକୁ ଠେଲି ଭିତରକୁ ପ୍ରବେଶ କରୁଥିବାରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳଚକଟାରେ ଅନେକ ମହିଳା ଭକ୍ତ ଏବଂ ଶିଶୁ ତଳେ ପଡି ଆହତ ହୋଇଥିଲେ। ଦଳଚକଟା ଭିଡିଓ ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ କହିଛି ଆସନ୍ତା ସୋମବାର ସ୍ଥିତି ସ୍ବାଭାବିକ ରହିବ। ଏଥିପାଇଁ ଉପଯୁକ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ।
Powered by Froala Editor