ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଲଣ୍ଡନର ଏକ କୋର୍ଟ। ଲଣ୍ଡନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମାଇକେଲ୍ ବ୍ରିଗ୍ସ ଭିଡିଓ କନଫରେନ୍ସଂ ମାଧ୍ୟମରେ ମାଲ୍ୟାଙ୍କୁ ଦେବାଳିଆ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଟିଆ(ଏଏସ୍ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କ ସମୁହଙ୍କୁ ମାଲ୍ୟାଙ୍କ ସମ୍ପତି ଜବତ କରିବା ସହଜ ହେବ ବୋଲି ଜଣା ପଡିଛି । ଯାହାଫଳରେ ଭାରତୀୟ ବ୍ୟାଙ୍କମାନେ ବ୍ରିଟେନ୍ରେ ମଧ୍ୟ ମାଲ୍ୟାଙ୍କ ଠାରୁ ତାଙ୍କ ବକେୟା ଟଙ୍କା ଆଦାୟ କରିପାରିବେ। କୋର୍ଟ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଦେଶରେ ଥିବା ମାଲ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିପାରିବେ ଭାରତୀୟ ବ୍ୟାଙ୍କ୍। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି।
୬୫ ବର୍ଷୀୟ ବିଜୟ ମାଲ୍ୟ ବର୍ତ୍ତମାନ ବ୍ରିଟେନ୍ରେ ଜାମିନ୍ରେ ଅଛନ୍ତି। କୁହାଯାଉଛି ଯେ ଦେଶରେ ଆଶ୍ରୟ ପ୍ରସଙ୍ଗରେ ଥିବା ଗୋପନୀୟ ଆଇନଗତ ପ୍ରକ୍ରିୟାରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସହ ଜଡିତ ପୃଥକ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିପାରନ୍ତି। ତାଙ୍କ ଓକିଲ ଫିଲିପ ମାର୍ଶଲ ଏହି ମାମଲାକୁ ସ୍ଥଗିତ ରଖିବା ସହ ନିର୍ଦ୍ଦେଶ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତେବେ ଜଜ୍ ଏହି ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି।
ସୂଚନା ଯେ, କିଙ୍ଗ ଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ। ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ସେ ଭାରତ ଫେରି ନାହାନ୍ତି । ତେବେ ତାଙ୍କ ପ୍ରତ୍ୟାର୍ପଣ ଏକ ପକ୍ଷେ ସ୍ପଷ୍ଟ ବୋଲି କିଛିଦିନ ତଳେ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା । ସେ ବର୍ତ୍ତମାନ ବ୍ରିଟେନରେ ଥିବା ବେଳେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ଲାଗି ପ୍ରକ୍ରିୟା ଜାରି ରହିଛି ।
Powered by Froala Editor