ସତର୍କ କରାଇଲା ଆଇଏମ୍ଏଫ୍ : ଦରଦାମ୍ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF) ମୁଖ୍ୟ କ୍ରିଷ୍ଟାଲିନା ଜିଓର୍ଜିଏଭା ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଟୋକିଓରେ ଜାପାନ ଅର୍ଥମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସିମ୍ପୋଜିୟମରେ ଜିଓର୍ଜିଏଭା ଅଂଶଗ୍ରହଣ କରିଥିଲେ । ତେବେ ନିଜ ଅଭିଭାଷଣ ସମୟରେ ସେ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ନୂଆ ସଂଘର୍ଷ ଦୀର୍ଘସ୍ଥାୟୀ ହେଲେ ଏହା ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇବ । ବର୍ଦ୍ଧିତ ତୈଳଦର ଓ ମୁଦ୍ରାସ୍ଫୀତିକୁ ନେଇ ସେ ପରାମର୍ଶ ଦେଇ କହିଛନ୍ତି ଯେ ନୀତି ନିର୍ମାତାମାନେ " ଏ ବିଷୟରେ ଚିନ୍ତା କରନ୍ତୁ ଏବଂ ପ୍ରସ୍ତୁତ ରୁହନ୍ତୁ" ।
ସେ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଏହି ସଂଘର୍ଷ ଯୋଗୁଁ ତୈଳ ଉତ୍ପାଦନ ଓ ପରିବହନରେ ବାଧା ସୃଷ୍ଟି ହୋଇଛି । ଯଦି ତୈଳ ମୂଲ୍ୟରେ ୧୦% ବୃଦ୍ଧି ବର୍ଷର ଅଧିକାଂଶ ସମୟରେ ଲାଗି ରହେ, ତେବେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ହାର ୦.୪ % ବୃଦ୍ଧି ପାଇବ ଏବଂ ବିଶ୍ୱ ଅର୍ଥନୀତିର ଉତ୍ପାଦନ ୦.୧ ରୁ ୦.୨% ହ୍ରାସ ପାଇବ ।
ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବନ୍ଦ ହେବା ଯୋଗୁଁ ବିଶ୍ୱର ୨୦ ପ୍ରତିଶତ ତୈଳ ବିପଣନ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ସମଗ୍ର ବିଶ୍ୱରେ ଶକ୍ତି ସଂକଟ ପରିଲକ୍ଷିତ ହେବାରେ ଲାଗିଛି । ବର୍ତ୍ତମାନ କ୍ରୁଡ ଅଏଲର ମୁଲ୍ୟ ୯ ପ୍ରତିଶତ ବୃଦ୍ଧି ପାଇ ୮୦ ଡଲାରରେ ପହଞ୍ଚିଥିବା ବେଳେ ଲିକ୍ୱିଡିଫାଏ ନେଚୁରାଲ ଗ୍ୟାସ(LNG) ଦରରେ ୫୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଭାରତର ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏନେଇ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ, ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଦୀର୍ଘକାଳୀନ ସଙ୍କଟ ବ୍ୟାପକ ଅର୍ଥନୈତିକ ପ୍ରଭାବ ପକାଇପାରେ ବୋଲି ଉଲ୍ଲେଖ ରହିଛି ।
Powered by Froala Editor