ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ
ଭୁବନେଶ୍ବର: ବରଗଡ ଜିଲା ଅତାବିରା ଥାନା ଅନ୍ଧାରିପାଲି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ବେଣୁଧର ଛୁରିଆ (୫୫)ବୋଲି ଜଣାପଡିଛି। ଆଜି ଭୋର ସମୟରେ ବେଣୁଧର ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିଲେ। ପ୍ରାୟ ୬ ଟା ୩୦ ମିନିଟ ସମୟରେ ଗାଁର ଆଉ ଜଣେ ଚାଷୀ ସପ୍ନେଶ୍ୱର ଛୁରିଆ ନିଜ ଜମିକୁ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ଦୂରରୁ ଗୋଟିଏ ହାତୀ କୁ ଦେଖି ଦୌଡ଼ି ଦୌଡ଼ି ଆସି ଗାଁକୁ ହାତୀ ଆସିଥିବା ସୂଚନା ଦେଇଥିଲେ ।ଏହି ଖବର ପାଇ ମୃତ ବେଣୁଧରଙ୍କ ଭାଇ , ବେଣୁଧରଙ୍କୁ ସତର୍କ କରିବା ପାଇଁ ତାଙ୍କ କ୍ଷେତକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ସେ ପାଇ ନଥିଲେ । ଖବର ପାଇ ଗ୍ରାମବାସୀମାନେ ସେଠାରେ ପହଞ୍ଚି ହାତୀ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ସୂଚନା ପାଇଥିଲେ ।
କିନ୍ତୁ ଫେରିବା ବାଟରେ ବେଣୁଧର ମୃତ ଭାବରେ ପଡ଼ିଥିବା ଓ ଆଖ ପାଖରେ ହାତୀର ପାଦ ଚିହ୍ନ ଥିବା ଦେଖିଥିଲେ। ହାତୀଟି ତାଙ୍କୁ କିଛି ଦୂର ଘୋଷାଡ଼ି ନେଇ ଶୁଣ୍ଢରେ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
Powered by Froala Editor