ଅପହରଣ ପରେ ନାବାଳକର ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ
ରାୟଗଡା : ୫ ବର୍ଷ ନାବାଳକକୁ ଗଳା କାଟି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ସଦର ପଞ୍ଚାୟତର ପୁରୁଣା ଷ୍ଟେସନ ସାହିରେ। ମୃତକ ପୁରୁଷୋତ୍ତମ ଗାନ୍ତାୟତଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ନାବାଳକ ଋଷି ଗାନ୍ତାୟତକୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। କିଛି ସମୟ ପରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରିଥିଲେ।
ଏହି ସଂକ୍ରାନ୍ତରେ ପୁଲିସ୍ କିମ୍ବା କୌଣସି ବାହାର ଲୋକକୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଋଷିର ମାମୁଁଙ୍କୁ ଏହି ମେସେଜ ଆସିବା ପରେ ଏ ସଂକ୍ରାନ୍ତରେ ଋଷିର ପିତାଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକ ଋଷିକୁ ବହୁ ଖୋଜାଖୋଜି କରିବା ପରେ କିଛି ଘଣ୍ଟା ପରେ ତାଙ୍କ ପୁରୁଣା ଘର ପଛ ପଟୁ ଋଷିର ମୃତଦେହ ଉଦ୍ଧାର କରିଥିଲେ। କେହି ତାଙ୍କୁ ପ୍ରଥମେ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ପୁରାଇ ଫୋପାଡି ଦେଇଥିବା ଜଣାପଡିଛି।
Powered by Froala Editor