ସମସ୍ତ ଆଗ୍ନିକ କର୍ମଚାରୀ ହେବେ ପୁରସ୍କୃତ : ଅଗ୍ନିଶମ ଡିଜି
ଭୁବନେଶ୍ବର: ଧଉଳି ଥାନା ଅଧୀନ ଲିଙ୍ଗିପୁରରେ ଥିବା ସୁପରମାର୍ଟରେ ଲାଗିଥିବା ନିଆଁ ଦୀର୍ଘ ୨୧ ଘଣ୍ଟା ଧରି ଜଳିଥିଲା। ସୋମବାର ରାତି ୧୦ଟାରୁ ଲାଗିଥିବା ନିଆଁ ମଙ୍ଗଳବାର ଦିନତମାମ ଜଳିଥିଲା। ଛାତ ଓ କାନ୍ଥ ଫଟାଇ ନିଆଁ ବାହାରକୁ ଆସିଥିଲା। ଏକାଧିକ ଅଗ୍ନିଶମ ଗାଡି ଓ କର୍ମଚାରୀଙ୍କ ପ୍ରଚେଷ୍ଟା ସତ୍ତ୍ବେ ବିପୁଳ ପ୍ଲାଷ୍ଟିକ ସାମଗ୍ରୀ ମାର୍ଟରେ ଗଚ୍ଛିତ ଥିବାରୁ ନିଆଁକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା। ପାଖାପାଖି ୫ରୁ ୬ କୋଟି ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିବା ମାର୍ଟ ମାଲିକ ସୁବାସ ଚନ୍ଦ୍ର ଜଗତି କହିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଆଗ୍ନିକଙ୍କୁ ଚତୁର୍ଥ ମହଲାରେ ପ୍ରବେଶ ନ କରିବାକୁ କୁହାଯାଇଛି। ଏତେ ସମୟ ଧରି ନିଆଁ ଜଳିଥିବାରୁ ଛାତଟି ଭୁଶୁଡ଼ିବା ଆଶଙ୍କା ରହିଛି। କୋଠା ସୁରକ୍ଷିତ ନା ଅସୁରକ୍ଷିତ ତାହା ଇଞ୍ଜିନିୟର ଯାଞ୍ଚ କରି ନିଷ୍ପତ୍ତି ନେବେ। ଆଗ୍ନିକଙ୍କ ଉଦ୍ୟମ ଲାଗି ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିନି। ଅଗ୍ନିଶମ କର୍ମଚାରୀମାନେ ନିଷ୍ଠାର ସହ ଦୀର୍ଘ ସମୟ କାର୍ଯ୍ୟ କରିଛନ୍ତି। ସମସ୍ତଙ୍କୁ ପୁରସ୍କୃତ କରାଯିବ ଏବଂ ସେମାନଙ୍କର ଭଲ କାମକୁ ସ୍ୱୀକୃତି ଦିଆଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
Powered by Froala Editor