ଛାତ ଫଟାଇ ୨୧ ଘଣ୍ଟା ଧରି ଜଳିଲା ଲିଙ୍ଗିପୁର ସୁପରମାର୍ଟ
ଭୁବନେଶ୍ବର: ଧଉଳି ଥାନା ଅଧୀନ ଲିଙ୍ଗିପୁରରେ ଥିବା ସୁପରମାର୍ଟରେ ଲାଗିଥିବା ନିଆଁ ଦୀର୍ଘ ୨୧ ଘଣ୍ଟା ଧରି ଜଳିଥିଲା। ସୋମବାର ରାତି ୧୦ଟାରୁ ଲାଗିଥିବା ନିଆଁ ମଙ୍ଗଳବାର ଦିନତମାମ ଜଳିଥିଲା। ଛାତ ଓ କାନ୍ଥ ଫଟାଇ ନିଆଁ ବାହାରକୁ ଆସିଥିଲା। ପାଖାପାଖି ୫ରୁ ୬ କୋଟି ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିବା ମାର୍ଟ ମାଲିକ ସୁବାସ ଚନ୍ଦ୍ର ଜଗତି କହିଛନ୍ତି।
ଏହି ୫ ମହଲା ବିଶିଷ୍ଟ କୋଠାର ୨ଟି ମହଲା ପୋଡ଼ି ଯାଇଛି। ଦୁଇଟି ମହଲା ଜଳି ଯାଇଥିବାରୁ କୋଠା ଅସୁରକ୍ଷିତ ଆଶଙ୍କା କରାଯାଉଛି। କୋଠାର ୪ର୍ଥ ମହଲାକୁ ନ ପଶିବାକୁ ଆଗ୍ନିକଙ୍କୁ ବାରଣ କରାଯାଇଛି। ସେପଟେ ନିଆଁକୁ ନିୟନ୍ତ୍ରଣ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି, ଗୋଟିଏ ଲେଖାଏଁ ଆଡଭାନ୍ସ ରେସ୍କ୍ୟୁ ଟେଣ୍ଡର, ହାଇଡ୍ରୋଲିକ ପ୍ଲାଟଫର୍ମ ଓ ରୋବୋଟିକ ମନିଟର ଓ ୮୦ ଅଧିକ ଆଗ୍ନିକଙ୍କୁ ନିୟୋଜିତ କରାଯାଇଥିଲା। ପାଣି ଓ ଫୋମ୍ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। କୋଠାରେ ଫସି ରହିଥିବା ୨ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏବେ ସୁଦ୍ଧା ନିଆଁରୁ ଧୂଆଁ ବାହାରୁଥିବାରୁ ନଜର ରଖାଯାଇଥିବା ଡେପୁଟି ଅଗ୍ନିଶମ ଅଧିକାରୀ ନାରାୟଣ ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ରାତି ସାଢ଼େ ୯ଟାରେ ମାର୍ଟ ବନ୍ଦ କରାଯାଇଥିଲା। ମାଲିକ ଘରକୁ ଯାଇଥିବା ବେଳେ ୪ଜଣ କର୍ମଚାରୀ ଥିଲେ। ମାର୍ଟର ତୃତୀୟ ମହଲାରେ ରାତି ପ୍ରାୟ ସାଢ଼େ ୧୦ଟାରେ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ଦ୍ବିତୀୟ ଓ ଚତୁର୍ଥ ମହଲାକୁ ବ୍ୟାପି ଥିଲା। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ମାର୍ଟରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ରାତିତମାମ ମାର୍ଟ ଜଳିଥିଲା। ତୃତୀୟ ମହଲା ସମ୍ପୂର୍ଣ୍ଣ ଜଳିବା ପରେ ୪ର୍ଥ ମହଲାକୁ ବ୍ୟାପିଥିଲା। ମାର୍ଟରେ ଝରକା ଓ କବାଟ ନଥିବାରୁ ନିଆଁ କିମ୍ବା ଧୂଆଁ ବାହାରକୁ ବାହାରି ପାରିନଥିଲା।
ମାର୍ଟକୁ ପ୍ରବେଶ ଓ ପ୍ରସ୍ଥାନ ଗୋଟିଏ ରାସ୍ତା ଥିବାରୁ ଅଗ୍ନିଶମ ବାହିନୀ ଭିତରକୁ ପଶି ପାରିନଥିଲେ। ପରେ କୋଠାର ଦୁଇଟି କାନ୍ଥ ଭାଙ୍ଗିବା ସହ ଉକ୍ତ ପଟେ ବ୍ରଣ୍ଟୋ ସ୍କାଏଲିଫ୍ଟ ଲଗାଇ ପାଣି ଓ ଫୋମ୍ ସ୍ପ୍ରେ କରି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଆଗ୍ନିକ। ପରେ ନିଆଁ ୪ର୍ଥ ମହଲାର ଛାତ ଫଟାଇ ବାହାରିଥିଲା। ଚାରିପଟୁ ପାଣି ଓ ଫୋମ ସ୍ପ୍ରେ କରିବା ଦ୍ବାରା ନିଆଁ ନିୟନ୍ତ୍ରଣକୁ ଆସିଥିଲା। ଆଗ୍ନିକଙ୍କ ତ୍ବରିତ ପଦେକ୍ଷପ ଯୋଗୁଁ ୩ଟି ବ୍ୟତୀତ ଆଉ ଅନ୍ୟ ମହଲାକୁ ନିଆଁ ବ୍ୟାପି ନଥିଲା।
Powered by Froala Editor