ନୂଆପଡ଼ା ପ୍ରଶାସନର ବଢ଼ିଲା ଚିନ୍ତା; ବୃଦ୍ଧାଶ୍ରମରୁ ବାହାରିଲେ ୧୬ ପଜିଟିଭ୍

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ବ୍ଳକ କୁରୁମପୁରି ପଞ୍ଚାୟତସ୍ଥିତ ହୋଲିହୋମ ଜରାଶ୍ରମରେ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡ଼ିବା ପରେ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ସଂକ୍ରମଣ ନବ୍ୟାପୀବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ତୁରନ୍ତ ୩ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଶନିବାର ଜିଲ୍ଲାରେ ୯୪୪ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ହୋଲିହୋମ ଜରାଶ୍ରମରୁ ୧୬ ଜଣ ଓ ନୂଆପଡ଼ା ଡିଏଚଏଚରୁ ଜଣେ ସଂକ୍ରମିତ ଧରା ପଡ଼ିଛନ୍ତି । ଏହା ଜଣାପଡ଼ିବା ପରେ ରବିବାର ଏକ ଡାକ୍ତରୀ ଦଳ ଜରାଶ୍ରମକୁ ଯାଇ ଅଧିକ ତଦନ୍ତ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୩୧ ଜୁଲାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୁମପୁରୀ, ସିନାପାଲି ଓ ଘାଟିପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି କୁରୁମପୁରୀ ସରପଞ୍ଚ । ଏହାସହ ଗୁରୁବାର ହେବାକୁ ଥିବା ଛେଳି ବଜାର ଓ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରାଯାଇଛି ।
କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଗାଁ ଗୁଡ଼ିକରେ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ବାହାର ଲୋକ ଗାଁକୁ ଯିବାକୁ ବାରଣ କରାଯାଇଛି । କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତି ଜରୁରି ହେଲେ ପ୍ରଶାସନକୁ ଯୋଗାଯୋଗ କରିବାକୁ କୁହାଯାଇଛି ।
Powered by Froala Editor